ଚେକ୍ ବାଉନ୍ସ ମାମଲାରେ ଡିଏସ୍ପି ଗିରଫ, ଦିଲ୍ଲୀ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କଲା ଭଦ୍ରକ ପୋଲିସ
31/10/2019 at 8:24 AM

ଭଣ୍ଡାରିପୋଖରୀ ୩୧।୧୦: ଚେକ୍ ବାଉନ୍ସ କେସରେ ଫସିଛନ୍ତି ଭଦ୍ରକ ଜିଲ୍ଲା ଡିଆଇବି ଡିଏସପି ଗୌତମ ମଲ୍ଲିକ। ଗିରଫ ପରେ ଦିଲ୍ଲୀ କୋର୍ଟରେ ହାଜର ହୋଇଥିବା ସୂଚନା ମିଳିଛି । ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଡିଏସପିଙ୍କୁ ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ନିକଟରୁ ଗିରଫ କରାଯାଇଥିଲା। ଅକ୍ଟୋବର ୧୯ରେ ଆଇଆଇସି ଗଣେଶ୍ବର ପ୍ରଧାନ ତାଙ୍କୁ ଗରିଫ କରିବା ପରେ ଦିଲ୍ଲୀ ହାଇକୋର୍ଟରେ ହାଜର କରାଯାଇଥିବା ସୂଚନା ମିଳିଛି । ଅକ୍ଟୋବର ୨୧ତାରିଖରେ ଦିଲ୍ଲୀ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ କୋର୍ଟରେ ଡିଏସପି ଗୌତମ ମଲ୍ଲିକଙ୍କୁ ହାଜର କରିଛି ଭଦ୍ରକ ପୋଲିସ।
ସୂଚନାଯୋଗ୍ୟ ଯେ, ୨୦୧୩ ମସିହାରେ ଆନନ୍ଦପୁରର ବାସିନ୍ଦା ରଘୁନନ୍ଦନ ଦେଓଙ୍କଠାରୁ ଜମି କରାଇଦେବା କହି ୨୦ ଲକ୍ଷ ଟଙ୍କା ସେ ନେଇଥିଲେ। ଜମି ନ କରାଇପାରି ୧୦ ଲକ୍ଷ ଫେରାଇ ଦେଇଥିଲେ। ହେଲେ ବାକି ୧୦ ଲକ୍ଷ ଫେରାଇ ନଥିଲେ। ଏହାକୁ ନେଇ ଆନନ୍ଦପୁରରୁ ଯାଇ ଦିଲ୍ଲୀରେ ରହୁଥିବା ରଘୁନନ୍ଦନ ଏକ ମାମଲା ରୁଜୁ କରିଥିଲେ । ତେବେ ଚେକ୍ ବାଉନ୍ସ କେସରେ କୋର୍ଟର ଅବମାନନା କରିଥିବା ଦର୍ଶାଇ ଦିଲ୍ଲୀ କୋର୍ଟ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ। ପରବର୍ତ୍ତୀ ଶୁଣାଣି ନଭେମ୍ବର ୧ତାରିଖରେ କରାଯିବ ବୋଲି ସୂଚନା ମିଳିଛି । ସେ ଯାଏଁ ଦିଲ୍ଲୀ ନଛାଡିବାକୁ ଗୌତମ ମଲ୍ଲିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ କୋର୍ଟ।