ଆଜିଠୁ ସାରା ଦେଶରେ କରୋନା ଭାକସିନ୍ର ଡ୍ରାଏ ରନ୍, ଟିକାକରଣ ପୂର୍ବରୁ ହେବ ପ୍ରାକ୍ ପ୍ରସ୍ତୁତି
2/01/2021 at 7:55 AM

ନୂଆଦିଲ୍ଲୀ, ୦୨|୦୧: ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ହ୍ରାସ ପାଇଥିବା ବେଳେ ବ୍ରିଟେନରେ ଚିହ୍ନଟ ଭାଇରସର ନୂଆ ଷ୍ଟ୍ରେନ୍ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ଏହାମଧ୍ୟରେ ଭାରତରେ କରୋନା ଭାକସିନ୍ ପାଇଁ ଏବେ ଆଉ ଅଧିକ ସମୟ ଧରି ଅପେକ୍ଷା କରିବାକୁ ପଡିବ ନାହିଁ ବୋଲି ସୂଚନା ମିଳିଛି । ୨୦୨୧ ପ୍ରଥମ ୨ରୁ ୩ ମାସ ମଧ୍ୟରେ ଭାକସିନ୍ ଆସିଯିବାର ସମ୍ଭାବନା ରହିଛି । ଏଥିପାଇଁ ଶନିବାରଠୁ ସାରା ଦେଶରେ ଆରମ୍ଭ ହେବ ଭାକସିନର ଡ୍ରାଏ ରନ୍ ।
ଗତ ବୁଧବାର ଅନୁଷ୍ଠିତ ହୋଇଥିବା ଏସଇସି ବୈଠକ ଓ ଗୁରୁବାର ଆୟୋଜିତ ଡିସିଜିଆଇ ବୈଠକରେ ଡାକ୍ତର ବିଜି ସୋମାନୀ ଭାକସିନ୍ ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ଦେଇଥିଲେ । ନୂଆ ବର୍ଷରେ ସେମାନେ ଖାଲି ହାତ ହେବେ ନାହିଁ ବୋଲି ସୂଚନା ଦେଇଥିଲେ ।
ମିଳିଥିବା ସୂଚନା ଅନୁସାରେ, ସରକାର ପୂର୍ବରୁ ୮୩ କୋଟି ସିରିଞ୍ଜ୍ କିଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବାଦ୍ ଆହୁରି ୩୫ କୋଟି ସିରିଞ୍ଜ୍ ଅର୍ଡର କରାଯିବ । ଏହାକୁ କୋଭିଡ୍ ଟିକାକରଣ ପାଇଁ ଉପଯୋଗ କରାଯିବ । ଏହାସହ ଜାନୁଆରୀ ୨ରୁ ଦେଶର ସବୁ ରାଜ୍ୟରେ ଡ୍ରାଇ ରନ୍ ଆରମ୍ଭ ହେବ ।
ସେହିପରି, ରାଜ୍ୟର ୩୧ଟି ସ୍ଥାନରେ କରୋନା ଟିକାର ଡ୍ରାଏ ରନ୍ ହେବ । ୩୦ଟି ଜିଲ୍ଲା ମୁଖ୍ୟାଳୟ ଏବଂ କ୍ୟାପିଟାଲ ହସ୍ପିଟାଲରେ ପ୍ରସ୍ତୁତି ହୋଇଛି । ଗୋଟିଏ କେନ୍ଦ୍ରରେ ୨୫ ଜଣ ଏହି ଡ୍ରାଏ ରନରେ ସାମିଲ ହେବେ । ଟିକା ଆସିଲେ ପ୍ରଥମେ ରାଜ୍ୟ ଟିକା ଷ୍ଟୋରରେ ରହିବ । ତାପରେ ସେଠାରୁ ୯ଟି ଆଞ୍ଚଳିକ ଟୀକା ଷ୍ଟୋରକୁ ପାଠଯିବ । ଆଞ୍ଚଳିକ ଷ୍ଟୋରରୁ ୩୨ଟି ଜିଲ୍ଲା ଟିକା ଷ୍ଟୋରକୁ ପଠାଯିବ। ସେଠାରୁ ୧୨୨୨ଟି କୋଲ୍ଡ ଚେନ୍ ପଏଣ୍ଟକୁ ପଠାଯିବ । ସେଠାରୁ ୨୯୨୭୨ ସେସନ ସାଇଟକୁ ପଠାଯିବ । ସେଠାରେ ଟୀକା ଦିଆଯିବ ।