ମହିଳା ଶ୍ରମିକଙ୍କୁ ଧକ୍କା ଦେଲେ ମାତାଲ କାର୍ ଚାଳକ, ଥାନା ବାରଣ୍ଡାରେ ଶୋଇଗଲେ

Published By : Prameya-News7 Bureau | November 23, 2020 IST

ପୁରୀ,୨୩/୧୧: ପୁରୀ-କୋଣାର୍କ ବେଳାମାର୍ଗରୁ ମାଳତୀପାଟପୁର ବାଇପାସ୍‌ ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।  ଏକ କାର୍‌ ଜଣେ ମହିଳା ଶ୍ରମିକଙ୍କୁ ପଛପଟୁ ଧକ୍କା ଦେବା ଫଳରେ ମହିଳା ଜଣକ ଗୁରୁତର ହୋଇଛନ୍ତି । ଆହତ ମହିଳା ହେଲେ ପେଣ୍ଠକଟା ମେରାଇନ୍‌ ଥାନା ଅଧୀନ ସମଙ୍ଗରାର ଝୁନାମଣି ପ୍ରଧାନ (୫୫) । ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ କାର୍‌କୁ ଜବତ କରି ଚାଳକଙ୍କୁ ଅଟକ ରଖିଛି ପୋଲିସ ।

ସୂଚନାନୁନସାରେ, ରବିବାର ସନ୍ଧ୍ୟାରେ ୬ଟାରେ ଝୁନାମଣି ଧାନ କାଟି ଘରକୁ ଫେରୁଥିଲେ । ସେହି ସମୟରେ ସମଙ୍ଗରା ଛକ ନିକଟରେ ମାଳତୀପାଟପୁର ଛକ ଆଡକୁ ଦ୍ରୁତ ଗତିରେ ଯାଉଥିବା କାର୍‌  ଝୁନାମଣିଙ୍କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଝୁନାମଣି କିଛି ଦୂରକୁ ଛିଟିକି ପଡିଥିଲେ । ସେଠାରେ ଉପସ୍ଥିତ କିଛି ସ୍ଥାନୀୟ ଲୋକେ ଉକ୍ତ କାର୍‌କୁ ଅଟକାଇଥିଲେ। ପରେ ଅବସ୍ଥା ହୋଇଥିଲା ସଙ୍ଗିନ ।

କାର୍‌ ଚାଳକ ମାତାଲ୍‌ ଅବସ୍ଥାରେ ଥିବାବେଳେ ଚାଲିବା ତାଙ୍କ ପକ୍ଷେ ସମ୍ଭବ ନଥିଲା। ସ୍ଥାନୀୟ ପେଣ୍ଠକଟା ମେରାଇନ୍‌ ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲା। ପରେ କାର୍‌ ସହ ଚାଳକଙ୍କୁ ଥାନାକୁ ନେଇଥିଲା। ହେଲେ ଚାଳକ ଥାନା ଚଟାଣରେ ଗଡିଥିଲେ। ସେ ଜଣେ ସରକାରୀ ଚାକିରିଆ ବୋଲି ସୂଚନା ମିଳିଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.