ହିତାହିତ ଜ୍ଞାନ ଭୁଲିଲା ମାତାଲ ସ୍ୱାମୀ, ସ୍ତ୍ରୀର ତଣ୍ଟି କାଟି କଲା ହତ୍ୟା

Published By : Prameya-News7 Bureau | November 09, 2020 IST

କୋରାପୁଟ, ୦୯୧୧:  ମଦୁଆ ସ୍ବାମୀର ବର୍ବର କାଣ୍ଡ।ମଦ ନିଶାରେ ସ୍ତ୍ରୀର ଗଳା କାଟି କଲା ହତ୍ୟା। ଏପରି ଏକ ଘଟଣା କୋରାପୁଟ ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି ।

 ସୂଚନାନୁସାରେ, କୋରାପୁଟ ଜିଲ୍ଲା ଦେବିଘାଟ ଗ୍ରାମପଞ୍ଚାୟତର ଧୌଡା ପଦର ଗ୍ରାମରେ ରୁହନ୍ତି କାର୍ତ୍ତିକ ଟାକ୍ରି ଓ ତାଙ୍କ ସ୍ତ୍ରୀ ପାର୍ବତୀ ।  ମଦ ପିଇବାକୁ ନେଇ ସ୍ବାମୀ କାର୍ତ୍ତିକ ଟାକ୍ରି ଓ ସ୍ତ୍ରୀ ପାର୍ବତୀଙ୍କ ମଧ୍ୟରେ ସବୁ ଦିନ ଝଗଡା ଲାଗି ରହେ। କିନ୍ତୁ ରବିବାର ଏହା ଉଗ୍ର ରୂପ ଧାରଣ କରିଥିଲା । ରବିବାର ବିଳମ୍ବିତ ରାତିରେ ମଦ ପିଇ କାର୍ତ୍ତିକ ଘରକୁ ଆସିଥିବାରୁ ଏହାକୁ ବିରୋଧ କରିଥିଲେ ସ୍ତ୍ରୀ ପାର୍ବତୀ ।ଏହାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ କାର୍ତ୍ତିକ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ବେକ କାଟି ଦେଇ ଥିଲେ । ଏନେଇ ପାର୍ବତୀଙ୍କ ବାପା କୋରାପୁଟ ସଦର ଥାନାରେ ଅଭିଯୋଗ କରିଛନ୍ତି। ଏହାସହ ଥାନାରେ ଏକ ମାମଲା ଦାୟର ହୋଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିଛି । ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।ଏହାସହ ଅଭିଯୁକ୍ତ ସ୍ବାମୀ କାର୍ତ୍ତିକକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.