ମଦ ପିଇଲା ନିଜେ ଭୋଗିଲା, ମୁତ୍ରାଶୟରେ ଭର୍ତ୍ତି କରିଦେଲା ଚାର୍ଜର ତାର, ଘଣ୍ଟାଏ ଅପରେସନ କରି ବାହାର କଲେ ଡାକ୍ତର
7/06/2020 at 9:12 PM

ରାଞ୍ଚୀ, ୦୭|୦୬: ଝାଡଖଣ୍ଡର ରାଞ୍ଚୀର ଡୁମକା ସହରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ମଦ୍ୟପ ନିଜ ମୁତ୍ରାଶୟରେ ମୋବାଇଲ ଚାର୍ଜର ପିନ୍ ଭର୍ତ୍ତି କରଦେଇଛନ୍ତି । ଡାକ୍ତରମାନେ ବହୁ କଷ୍ଟରେ ଯୁବକଙ୍କ ମୁତ୍ରାଶୟରୁ ଚାର୍ଜର ତାର ବାହାର କରିଛନ୍ତି ।
ସୂଚନାନୁସାରେ, ରବିବାର ଜଣେ ୩୫ ବର୍ଷର ଯୁବକ ମେଡିକାଲ ଆସିଥିଲେ । ଡାକ୍ତରଙ୍କୁ ସେ କିଛି ନକହି କାନ୍ଦିବାକୁ ଲାଗିଥିଲେ । ଏହାପରେ ଡାକ୍ତରମାନେ ତାଙ୍କୁ ଏକ୍ସରେ କରିବାକୁ କହିଥିଲେ । ଏକ୍ସରେ ରିପୋର୍ଟ ଦେଖି ଡାକ୍ତରମାନେ ତାଜୁବ ହୋଇଯାଇଥିଲେ । ତାଙ୍କ ମୁତ୍ରାଶୟରେ ୨ଟି ମୋବାଇଲ୍ ଚାର୍ଜର୍ କେବୁଲ ବା ତାର ରହିଥିଲା । ଏହାପରେ ମେଡିକାଲ ସର୍ଜନ ଡାକ୍ତର ସୁନିଲ କୁମାର ଅସ୍ତ୍ରୋପଚାର କରି କେବୁଲ ଦୁଇଟିକୁ ବାହାର କରିଥିଲେ । ଏହି ଅସ୍ତ୍ରୋପଚାର କରିବାକୁ ପ୍ରାୟ ଏକ ଘଣ୍ଟା ଲାଗିଥିଲା । ଏହି କେବୁଲ ଦୁଇଟିର ଲମ୍ବ ପ୍ରାୟ ୧.୫ ଫୁଟ୍ ଥିବା ଡାକ୍ତର କହିଛନ୍ତି ।
ମେଡିକାଲର ମାଲିକ ଅମିତା ରକସିତ୍ କହିଛନ୍ତି ଯେ, ବ୍ୟକ୍ତିଜଣଙ୍କର ୩ ମାସ ପୂର୍ବରୁ ତାଙ୍କ ପତ୍ନୀଙ୍କ ସହ ବିବାହ ବିଚ୍ଛେଦ କରିଥିଲେ । ଏହାପରେ ସେ ଅଧିକ ଚାପରେ ରହିବା ସହ ମଦ୍ୟପାନ ମଧ୍ୟ କରୁଥିଲେ । ସୁସ୍ଥ ହେବା ପରେ ବ୍ୟକ୍ତିଜଣଙ୍କ କହିଛନ୍ତି ଯେ, ସେ ମଦ୍ୟପାନ କରି ବହୁ ଦିନ ପୂର୍ବରୁ ମୁତ୍ରାଶୟରେ ମୋବାଇଲ୍ ଚାର୍ଜର ତାର ଭର୍ତ୍ତି କରିଥିଲେ । ସେତେବେଳେ କୌଣସି କଷ୍ଟ ଅନୁଭବ ହେଉନଥିଲା । ତେବେ ଗୋଟିଏ ମାସ ପରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହେଲା । ଲୋକଲଜ୍ଜାକୁ ଭୟ କରି ସେ ଏକଥା କାହାକୁ କହିନଥିଲେ ।
ଡାକ୍ତରମାନେ ବିନା କୌଣସି ଅର୍ଥରେ ଏହି ଅସ୍ତ୍ରୋପଚାର କରିଛନ୍ତି । ଏହି ବ୍ୟକ୍ତିଜଣଙ୍କ ରଙ୍ଗମିସ୍ତ୍ରୀ ଭାବେ କାମ କରନ୍ତି । ଏଭଳି ସମାନ ଘଟଣା ଚଳିତ ସପ୍ତାହର ଆରମ୍ଭରେ ଆସାମର ଗୌହାଟୀରେ ଦେଖିବାକୁ ମିଳିଥିଲା । ଜଣେ ୩୦ ବର୍ଷୀୟ ବ୍ୟକ୍ତି ୩ ଫୁଟ ଲମ୍ବର କେବୁଲ ନିଜ ମୁତ୍ରାଶୟରେ ଭର୍ତ୍ତି କରିଥିଲେ ।