ମଦ ପିଇ ସ୍ତ୍ରୀ ଦେହରେ କିରୋସିନି ଢାଳି ନିଆଁ ଲଗାଇଲା ସ୍ୱାମୀ, ଗ୍ୟାସ୍‌ ଲିକ୍‌ରୁ ଉଭୟ ଗୁରୁତର

Published By : Prameya-News7 Bureau | March 03, 2021 IST

ଆଠଗଡ, ୦୩/୦୩: ଘରୋଇ କଳିକୁ ନେଇ ସ୍ୱାମୀ ତାର ସ୍ତ୍ରୀ ଦେହରେ କିରୋସିନି ଢାଳି ମାରିବାକୁ ଉଦ୍ୟମ ସମୟରେ ନିଆଁ ଲାଗିଯିବାରୁ ଉଭୟ ସ୍ୱାମୀ-ସ୍ତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଆଠଗଡ ଥାନା ଅନ୍ତର୍ଗତ ଜେନାପଦା ପଞ୍ଚାୟତ କଲରାଗଡ ଶବରସାହିରେ ଦେଖିବାକୁ ମିଳିଛି ।

ଘଟଣା ଅନୁସାରେ, ବୁଧବାର ଅପରାହ୍ନ ୪ଟା ସମୟରେ ସ୍ୱାମୀ ବିଚିତ୍ରା ଦିଶୋରି କାମସାରି ଘରକୁ ଫେରିଥିଲେ । ସ୍ତ୍ରୀ ସୁଜତା ଦେହୁରୀକୁ ଖାଇବାକୁ ମାଗିବା ସମୟରେ ସ୍ୱାମୀ- ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ବିଚିତ୍ରା ଦିଶୋରି ଘରେ ଥିବା କିରୋସିନି ଜାରକିନ ଆଣି ସ୍ତ୍ରୀ ଦେହରେ ଢାଳି ନିଆଁ ଲଗାଇ ଦେଇଥିଲେ । ଏହାପରେ ନିକଟରେ ଥିବା ଗ୍ୟାସ ଲିକ କରିଯିବାରୁ ନିଆଁର ପ୍ରକୋପ ବୃଦ୍ଧି ପାଇଥିଲା ।

ଏଥିରେ ସ୍ୱାମୀ ସ୍ତ୍ରୀ ଦୁଇଜଣଙ୍କ ଦେହରେ ନିଆଁ ଲାଗିଯାଇଥିଲା । ସ୍ୱାମୀ- ସ୍ତ୍ରୀ ଦୁଇଜଣଙ୍କ ଚିତ୍କାର ଶୁଣି ସାହି ପଡିଶା ଆସି ସେମାନଙ୍କ ଦେହରେ ଲାଗିଥିବା ନିଆଁକୁ ଲିଭାଇଥିଲେ । ୧୦୮ ଆମ୍ବୁଲାନ୍ସ ସହାୟତାରେ ଆଠଗଡ ଡାକ୍ତରଖାନାରେ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା ।

ତେବେ ଆଠଗଡ ଡାକ୍ତରଖାନାରେ ଡାକ୍ତର ଶାନ୍ତି ଭୂଷଣ ପଣ୍ଡା ସ୍ୱାମୀ-ସ୍ତ୍ରୀ ଦୁଇଜଣଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ । ସ୍ୱାମୀ ବିଚତ୍ରାର ଶରୀର ୪୦ ପ୍ରତିଶତ ପୋଡିଯାଇଥିବା ବେଳେ ସ୍ତ୍ରୀ ସୁଜତାର ଶରୀରର ୮୦ ପ୍ରତିଶତ ପୋଡିଯାଇଥିବାରୁ ଦୁଇଜଣଙ୍କୁ ଡାକ୍ତର  କଟକ ବଡ ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ପଠାଇଛନ୍ତି ।

ସାତ ଜନ୍ମପାଇଁ ସାଥି କରିଥିବା ସ୍ୱାମୀ ମଦ୍ୟପାନ କରି ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି । ତେବେ ଏ ସମ୍ପର୍କରେ ଆଠଗଡ ଥାନାରେ କୈଣସି ମାମଲା ହୋଇନଥିବା ବେଳେ ପୋଲିସ ଖବର ପାଇ ଆଠଗଡ ଡାକ୍ତରଖାନାରେ ପହଞ୍ଚି ଥିଲା । ତେବେ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଥିବା ପୋଲିସ୍‌ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.