ସେଲିଫି ନେଉଥିବା ୨ ଜଣଙ୍କ ଉପରେ ଗାଡି ଚଢାଇଦେଲେ ନିଶାଗ୍ରସ୍ତ ଇଞ୍ଜିନିୟର, ୨ ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | November 11, 2019 IST

ହାଇଦ୍ରାବାଦ - ହାଇଦ୍ରାବାଦରେ ମଦ ପିଇ ଗାଡି ଚଳାଉଥିବା ଜଣେ ସଫ୍ଟଓ୍ୱାର ଇଞ୍ଜିନିୟର ନିଶାଗ୍ରସ୍ତ ଅବସ୍ଥାରେ ଏକ ଫ୍ଲାଏ ଓଭର୍‌ ଉପରେ ଛିଡା ହୋଇଥିବା ଲୋକଙ୍କ ଉପରେ ନିଜ ଗାଡି ଚଢାଇ ଦେଇଛନ୍ତି । ଏହି ଦୁର୍ଘଟଣାରେ ଫ୍ଲାଏ ଓଭର୍‌ ଉପରେ ଛିଡା ହୋଇଥିବା ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ।

ଅଭିଳାଶ ନାମର ସଫ୍ଟଓ୍ୱାର ଇଞ୍ଜିନିୟର ନିଶାଗ୍ରସ୍ତ ଅବସ୍ଥାରେ ନିଜ ସାଙ୍ଗମାନଙ୍କୁ ବସାଇ କାର୍ ଚଳାଇ ଆସୁଥିଲେ । ନୂଆ କରି ହାଇଦ୍ରାବାଦରେ ଉଦ୍‌ଘାଟନ କରାଯାଇଥିବା ବାୟୋ ଡାଇଭରସିଟି ଫ୍ଲାଏ ଓଭର୍‌ ଉପରେ ଗାଡି ଚଳାଉଥିଲେ । ଏତିକି ବେଳେ ସେ ଗାଡିରୁ ଭାରସାମ୍ୟ ହରାଇ ଗୋଟିଏ ଦୁଇ ଚକିଆ ଯାନକୁ ଧକ୍କା ଦେଇଥିଲେ। ପରେ ଫ୍ଲାଏ ଓଭର୍‌ ଉପରେ ଛିଡା ହୋଇ ସେଲଫି ନେଉଥିବା ବଂଶୀ ଓ ପ୍ରବିନ ନାମକ ଯୁବକଙ୍କୁ ଧକ୍କା ଦେଇଥିଲେ । କାର୍‌ ଧକ୍କାରେ ସେମାନେ ଫ୍ଲାଏ ଓଭର୍‌ରୁ ତଳକୁ ଖସି ପଡିଥିଲେ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ।

କାର ଧକ୍କା ଦେଇଥିବା ଇଞ୍ଜିନିୟରଙ୍କ ଘର ହାଇଦ୍ରାବାଦର କୁକଟପଲ୍ଲୀରେ , ସେ ଏକ ପାର୍ଟିରୁ ଫେରୁଥିଲେ । କାର୍‌ ଦୁର୍ଘଟଣା ଘଟିବାପରେ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ତାଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ । ତାଙ୍କ ନାମରେ ଧାରା ୩୦୪-କ ଅନୁସାରେ ଅସବଧାନତା ଯୋଗୁଁ ମୃତ୍ୟୁ ମାମଲା ରୁଜୁ କରାଯାଇଛି । ବ୍ରେଥ ଆନାଲାଇଜ୍‌ରେ ସେ ଅତ୍ୟଧିକ ମଦ୍ୟପାନ କରିଥିବା ପ୍ରମାଣିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.