ରେଭ୍ ପାର୍ଟି ପାଇଁ ଆସିଥିବା ୧୦ କୋଟି ଟଙ୍କାର ଡ୍ରଗ୍ସ ଜବତ: ନାଇଜେରିୟ ଯୁବକ ଓ ତାଙ୍କ ମହିଳା ବନ୍ଧୁ ଅଟକ

Published By : Prameya-News7 Bureau | December 09, 2020 IST

ନୂଆଦିଲ୍ଲୀ ୦୯/୧୨ : ଦିଲ୍ଲୀ ପୋଲିସ ହାତରେ ବଡ ଧରଣର ଡ୍ରଗ୍ସ ମାମଲା ଧରାପଡିଛି। ଦିଲ୍ଲୀ ପୋଲିସର ରେଲୱେ ପୋଲିସ ୟୁନିଟ ପାଖାପାଖି ୧୦ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ମାମଲାରେ ପୋଲିସ ଜଣେ ନାଇଜେରିୟ ନାଗରିକ ଓ ତାଙ୍କର ଜଣେ ମହିଳା ବନ୍ଧୁଙ୍କୁ ଅଟକ ରଖିଛି। ସୂଚନା ଅନୁଯାୟୀ, ତାଙ୍କ ପାଖରୁ ୧୦.୫ କିଲୋଗ୍ରାମର ଆମ୍ଫେଟାମାଇନ ଜବତ ହୋଇଛି। ଅନ୍ତରାଷ୍ଟ୍ରୀୟ ବଜାରରେ ଏହାର ମୂଲ୍ୟ ପାଖାପାଖି ୧୦ କୋଟି ଟଙ୍କା। ଏହା ବେଙ୍ଗାଲୁରୁରୁ ଅଣାଯାଇଥିଲା ଏବଂ ରେଭ୍ ପାର୍ଟି ପାର୍ଟିରେ ଏହାକୁ ବ୍ୟବହାର କରାଯାଇଥାନ୍ତା। ନାଇଜେରିୟ ଯୁବକ ଜନକ ହେଲେ ଚିମା ବିଟାଲିସ୍ ଏବଂ ତାଙ୍କ ମହିଳା ବନ୍ଧୁ ହେଲେ ଶ୍ରୀମତୀ। ପୋଲିସ ଉଭୟଙ୍କୁ ହେପାଜତକୁ ନେଇ ପଚରାଉଚୁରା କରୁଛି।

ରାଜଧାନୀ ଦିଲ୍ଲୀରେ ଡ୍ରଗ୍ସ ମାମଲା ବୃଦ୍ଧି ପାଇଛି। ଗତ ସେପ୍ଟେମ୍ବର ୨୨ ତାରିଖରେ ଏନସିବି ନୋଏଡାରୁ ହେରୋଇନ୍, କୋକିନ୍ ଓ ମାରିଯୁଏନା ଚାଲାଣ କରୁଥିବା ଏକ ଅନ୍ତରାଷ୍ଟ୍ରୀୟ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଥିଲା। ଏନସିବି ଟିମ୍ ଏହି ମାମଲାରେ କିଙ୍ଗପିନ ସମେତ ୮ଜଣଙ୍କୁ ଗିରଫ କରିଥିଲା। ଏନସିବି ଅଭିଯୁକ୍ତଙ୍କ ଠାରୁ ୮ କିଲୋଗ୍ରାମ ହେରୋଇନ୍, ୪୫୫ ଗ୍ରାମ୍ କୋକିନ୍ ଓ ୧.୧ କିଲୋ ମାରିଯୁଏନା ଜବତ କରିଥିଲା।

ଏହି ମାମଲାରେ ଏନସିବି କହିଥିଲା ଯେ ଭାରତରେ ରହୁଥିବା ଜଣେ ଆଫ୍ରିକୀୟ ଏହି ଗ୍ୟାଙ୍ଗର କିଙ୍ଗପିନ୍ ଏବଂ ତାକୁ ଗିରଫ କରାଯାଇଛି। ତା ପାଖରୁ ୧.୭୫ କିଲୋ ହେରୋଇନ୍ ଜବତ କରାଯାଇଥିଲା। ଏନସିବି ଯାଞ୍ଚରେ ଖୁଲାସା ହୋଇଥିଲା ଯେ ଏହି ସିଣ୍ଡିକେଟର ମଡେଲ ଭାରତ ଉପରେ ଆଧାରିତ। ଏନସିବି ସେପ୍ଟେମ୍ବର ୧ ତାରିଖରେ ଏହି ଅପରେସନ ଆରମ୍ଭ କରିଥିଲା। ସେପ୍ଟେମ୍ବର ୧ ତାରିଖରେ ଦିଲ୍ଲୀରେ ୯୭୦ ଗ୍ରାମର ହେରୋଇନର ଏକ ପାର୍ସଲ ଜବତ କରାଯାଇଥିଲା। ଏହାପରେ ଏନସିବି ଡିଜିଟାଲ ଫୁଟ୍ ପ୍ରିଣ୍ଟ ଓ ଡିଜିଟାଲ୍ ଫରେନସିକ୍ ବିଶ୍ଳେଷଣ ଆଧାରରେ ଗୁଇନ୍ଦା ତଥ୍ୟ ଜୁଟାଇ ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାକୁ ଯୋଜନା କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.