ସୁଦୃଢ ହେବ ସୀମା: ଚୀନ-ବାଂଲାଦେଶ ବର୍ଡର ପର୍ଯ୍ୟନ୍ତ ରୋଡ୍ ନେଟ୍ଓ୍ଵର୍କର ଜାଲ ବିଛାଇବାକୁ କେନ୍ଦ୍ରର ନିଷ୍ପତ୍ତି, ଡ୍ରୋନରେ ହେବ ସର୍ବେକ୍ଷେଣ

Published By : Prameya-News7 Bureau | October 30, 2020 IST

ନୂଆଦିଲ୍ଲୀ ୩୦।୧୦: ଜାମ୍ମୁ-କାଶ୍ମୀରରୁ ନେଇ ପୂର୍ବୋତ୍ତର ରାଜ୍ୟରେ ଚୀନ ଓ ବାଂଲାଦେଶ ସୀମା ପର୍ଯ୍ୟନ୍ତ ରୋଡ୍ ନେଟ୍‌ଓ୍ଵର୍କର ଜାଲ ବିଛାଇବା ପାଇଁ କେନ୍ଦ୍ର ସରକାର ଅତ୍ୟାଧୁନିକ ଡ୍ରୋନ ଜ୍ଞାନ କୌଶଳର ସାହାରା ନେବେ। ହିମାଳୟ କ୍ଷେତ୍ରର ଦୁର୍ଗମ ପାହାଡିଆ ଅଞ୍ଚଳରେ ଆକାଶ ମାର୍ଗରୁ ସର୍ବେକ୍ଷେଣ କରାଯାଇ ତଥ୍ୟ ସଂଗ୍ରହ କରାଯିବ। ଏଥିରେ ଜାତୀୟ ରାଜପଥ, ସଡକ, ବଡ ବଡ ପୋଲ ଆଦିର ଥ୍ରୀଡି ଭିଡିଓ, ଚିତ୍ର ଓ ଲିଖିତ ବିବରଣ ପ୍ଲାଟଫର୍ମ ପ୍ରସ୍ତୁତ କରାଯିବ। ଏହି ଜ୍ଞାନ କୌଶଳରେ ଟଙ୍କା ସହ ସମୟ ମଧ୍ୟ ବଞ୍ଚିଯିବ। ସଡକ ନିର୍ମାଣ ପୂର୍ବରୁ ଫିଜିବିଲିଟି ରିପୋର୍ଟ, ଡିପିଆର ଦ୍ରୁତ ଗତିରେ ତିଆରି ହେବ।

ସରକାରୀ ସାର୍ବଜନୀନ ଉପକ୍ରମ ରାଷ୍ଟ୍ରୀୟ ରାଜମାର୍ଗ ଏବଂ ଅବସରଞ୍ଚନା ବିକାଶ ନିଗମ(ଏନଏଏଆଇଡିସିଏଲ) ଡ୍ରୋନ ଜ୍ଞାନ କୌଶଳ ଜରିଆରେ ଏରିୟଲ ତଥ୍ୟ ସଂଗ୍ରହ ଓ ରାଜମାର୍ଗ ପ୍ରକଳ୍ପର ନୀରିକ୍ଷଣ ୟୁନିଟ୍ ସ୍ଥାପିତ କରିବା ପାଇଁ ବିଜ୍ଞପ୍ତି  ଗତ ମାସରୁ  ଜାରି କରିଛନ୍ତି। ଅକ୍ଟୋବର ମାସରୁ ଏଜେନ୍ସିର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ଡ୍ରୋନରୁ ଜାମ୍ମୁ-କାଶ୍ମୀର, ଅରୁଣାଚଳ ପ୍ରଦେଶ, ଆସାମ, ତ୍ରିପୁରା ଆଦି ରାଜ୍ୟରେ ଆକାଶମାର୍ଗରୁ ସର୍ବେକ୍ଷେଣ ଜରିଆରେ ତଥ୍ୟ ସଂଗ୍ରହ କରାଯିବ। ବର୍ତ୍ତମାନ ୨୦୦୦ କିଲୋମିଟର ଜାତୀୟ ରାଜମାର୍ଗ ଉପରେ କାମ ଚାଲିଛି। ଏହାର ନୀରିକ୍ଷଣ କାମ ଡ୍ରୋନ ଜରିଆରେ କରାଯାଉଛି।

ଘରୋଇ ଏଜେନ୍ସି କଣ୍ଟ୍ରୋଲ ରୁମ ଓ ନୀରିକ୍ଷଣ ୟୁନିଟ୍ କେନ୍ଦ୍ର(ସିଏମସି)ର ସ୍ଥାପନା କରିବ। ଡ୍ରୋନରୁ ସର୍ବେକ୍ଷେଣ, ଫଟୋ ଓ ଭୂଭାଗର ଲିଖିତ ବିବରଣୀ ସିଏମସିରେ ସିଧାସଳଖ ପଠାଯିବ। ଏଥିସହ ଜାତୀୟ ରାଜପଥ, ସଡକ, ବୃକ୍ଷ, ବାଙ୍କ, ଗର୍ତ୍ତ, ପୋଲ, କୃଷି, ଭୂମି, ଫାର୍ମ ହାଉସ୍, ସରଚନାତ୍ମକ ନୀରିକ୍ଷଣ, ଭୁସ୍ଖଳନ କ୍ଷେତ୍ର, ଭୂଭାଗର କ୍ଷେତ୍ରଫଳର ବିଶ୍ଳେଷଣ କରାଯିବ। ଭିଡିଓଗ୍ରାଫିରେ ପାହାଡିଆ ଅଞ୍ଚଳର ଅକ୍ଷାଂଶ ଓ ଦ୍ରାଘିମା ଉଲ୍ଲେଖ ମଧ୍ୟ ରହିବ। ଏହା ଦ୍ଵାରା ନୂତନ ଜାତୀୟ ରାଜପର୍ଥ ନିର୍ମାଣରେ ଉପୁଜିଥିବା ସମସ୍ୟା ଦୂର ହୋଇ ପାରିବ। ଏହି ଜ୍ଞାନ କୌଶଳ ଜରିଆରେ ଭୂସ୍ଖଳନ, ବନ୍ୟା, ବର୍ଷା ଆଦିରେ ସଡକ କ୍ଷତିଗ୍ରସ୍ତର ସୂଚନା ମିଳିବା ସହିତ ମରାମତି କାମ ମଧ୍ୟ ହୋଇ ପାରିବ।

ସରକାରୀ ଉପକ୍ରମ ଆସାମ, ଜାମ୍ମୁ-କାଶ୍ମୀର, ଅରୁଣାଚଳ ପ୍ରଦେଶ, ମିଜୋରାମ, ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ, ସିକ୍କିମ, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବରରେ ଦୁଇ ଲେନ, ଚାରି ଲେନ ଜାତୀୟ ରାଜପଥ, ପୋଲ, ସୁଡଙ୍ଗ ଆଦି ପ୍ରକଳ୍ପ ଉପରେ କାମ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.