ଅମୃତସରରେ ଟ୍ରେନ୍ ଦୁର୍ଘଟଣା : ରାବଣପୋଡି ଉତ୍ସବ ନେଇ ଆୟୋଜକମାନେ ରେଳ ବିଭାଗକୁ କୌଣସି ସୂଚନା ଦେଇନଥିବା କହିଲେ ଡିଆରଏମ୍

Published By : Prameya-News7 Bureau | October 20, 2018 IST

ଅମୃତସର ୨୦|୧୦: ପଞ୍ଜାବ ଅମୃତସରରେ ରାବଣ ପୋଡି ଉତ୍ସବ ବେଳେ ଟ୍ରେନ୍ ଧକ୍କାରେ ଏବେ ସୁଦ୍ଧା ୬୧ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୪୦ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ୨୦ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ୭୦ରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଚିକିତ୍ସାଧିନ ଥିବା ଅନ୍ୟମାନଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବହୁତ ବଢିପାରେ ବୋଲି ଆଶଙ୍କା କରାଯାଉଛି । ପଞ୍ଜାବ ଅମୃତସର ଟ୍ରେନ୍ ଦୁର୍ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଭିଜନାଲ୍ ରେଲୱେ ମ୍ୟାନେଜର । ସେ କହିଛନ୍ତି ଯେ, ରାବଣପୋଡି ଉତ୍ସବ ନେଇ ଆୟୋଜକମାନେ ରେଳ ବିଭାଗକୁ କୌଣସି ସୂଚନା ଦେଇନଥିଲେ । ତେବେ ଟ୍ରାକ୍ ଉପରେ ଲୋକଙ୍କୁ ଦେଖି ଡ୍ରାଇଭର ଟ୍ରେନ୍ ର ସ୍ପିଡ୍ କମାଇଥିଲେ । ଟ୍ରେନ୍ ର ସ୍ପିଡ୍ କୁ ୯୧କିଲୋମିଟର ପ୍ରତିଘଣ୍ଟାରୁ ୬୮କୁ କମାଇଥିଲେ । ଟ୍ରେନ୍  ଅଟକିଥିଲେ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାନ୍ତା । କାରଣ ଉତ୍ୟକ୍ତ ଲୋକ ଟ୍ରେନ୍ ଉପରକୁ ପଥର ଫିଙ୍ଗୁଥିଲେ । ଟ୍ରେନ୍ ହର୍ଣ୍ଣ ଦେଇନଥିବା ଅଭିଯୋଗ ଉପରେ ସଫେଇ ରଖି  ଡିଆରଏମ କହିଛନ୍ତି, ଟ୍ରେନ୍ ରେ ହର୍ଣ୍ଣ ଥିଲା ଏବଂ ତାହା କାମ କରୁଥିଲା । ଏହି ଦୁର୍ଘଟଣା ପାଇଁ ରେଳବିଭାଗ କୌଣସି ଦୃଷ୍ଟିରୁ ଦୋଷୀ ନୁହେଁ ବୋଲି ଡିଆରଏମ ସ୍ପଷ୍ଟ କରିବା ସହ ନବଜୋତ ସିଂ ସିଦ୍ଧୁଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଟ୍ରେନ୍ ଡ୍ରାଇଭରଙ୍କୁ ସୁରକ୍ଷିତ ରଖା ଯାଇଥିବା ଡିଆରଏମ ସୂଚନା ଦେଇଛନ୍ତି । ସେପଟେ ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ଆଇନ ଶୃଙ୍ଖଳା ଓ ସ୍ଥିତି ନିୟନ୍ତ୍ରଣ କରିବା ରାଜ୍ୟ ସରକାରଙ୍କର ଦାୟିତ୍ବ ବୋଲି ରେଳରାଷ୍ଟ୍ର ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.