ବଦଳିଲା ନିୟମ, ଏଣିକି DL ପାଇଁ ଆରଟିଓରେ ଦେବାକୁ ପଡ଼ିବନି ଡ୍ରାଇଭିଂ ଟେଷ୍ଟ

Published By : Prameya-News7 Bureau | July 01, 2021 IST

ନୂଆଦିଲ୍ଲୀ ୧/୦୭: ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ପାଇବାକୁ ହେଲେ ଲୋକଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ୁଛି। ବିଭିନ୍ନ ଅନିୟମିତତା ନେଇ ଅଭିଯୋଗ ବାରମ୍ବାର ଆସୁଛି। କିନ୍ତୁ ଡିଏଲ୍‌ ପାଇବା ପାଇଁ ସମସ୍ତ ପ୍ରକ୍ରିୟାକୁ ସରଳ କରିବା ପାଇଁ ସରକାର ନିୟମ​‌ରେ ପରିବର୍ତ୍ତନ କରିଥିବା ଜଣାପଡ଼ିଛି। ଆଜି ଅର୍ଥାତ ଗୁରୁବାର ପାଖରୁ ଏହି ସରଳ ନିୟମ ଲାଗୁ ହୋଇଯାଇଛି।

ଏଣିକି ଆବେଦନକାରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ମାଧ୍ୟମରେ ଡିଏଲ୍‌ ପାଇବାକୁ କୌଣସି କଠିନ ପ୍ରକ୍ରିୟା ଦେଇ ଗତି କରିବେ ନାହିଁ। ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକୁ ମାନ୍ୟତା ଦେବା ପାଇଁ ସରକାର ନୂଆ ନିୟମ ଆଣିଛନ୍ତି । ଯେଉଁଠାରେ ଆଶାୟୀଙ୍କୁ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଡ୍ରାଇଭିଂ ଶିକ୍ଷା ଦିଆଯିବ। ସେଠାରୁ ଥରେ ପାସ୍‌ କରିବା ପରେ ପୁର୍ନବାର ତାଙ୍କୁ ଡିଏଲ୍‌ ନେବା ବେଳେ ଆରଟିଓରେ ଡ୍ରାଇଭିଂ ପରୀକ୍ଷା ଦେବାକୁ ପଡ଼ିବ ନାହିଁ।

ନୂଆ ନିୟମ ଅନୁସାରେ ମାନ୍ୟତା ପ୍ରାପ୍ତ ଟ୍ରେନିଂ ସେଣ୍ଟରରେ ଡିଏଲ୍‌ ଆବେଦକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ସିମୁଲେଟର ସହିତ ଡେଡିକେଟେଡ ଡ୍ରାଇଭିଂ ଟେଷ୍ଟ ଟ୍ରାକ୍‌ର ସୁବିଧା ଉପଲବ୍ଧ ରହିବ। ସେଠାରେ ଆବେଦକଙ୍କୁ ଭଲ ଭାବେ ଡ୍ରାଇଭିଂ ପ୍ରଶିକ୍ଷଣ ଦିଆଯିବ। ପ୍ରଶିକ୍ଷଣ କେନ୍ଦ୍ରରେ ହାଲକା ମୋଟର ଯାନ ପାଇଁ ଡ୍ରାଇଭିଂ ପାଠ୍ୟକ୍ରମ ଅବଧି ୪ ସପ୍ତାହ ମଧ୍ୟରେ ୨୯ ଘଣ୍ଟା ଧାର୍ଯ୍ୟ କରିଛି ପରିବହନ ମନ୍ତ୍ରାଳୟ। ୪ ସପ୍ତାହରେ ଡ୍ରାଇଭିଂ ଶିଖିବା ସହ ଆବେଦକ ପରୀକ୍ଷା ଦେବେ । ପରୀକ୍ଷାରେ ଉଭୟ ଥିଓରି ଏବଂ ପ୍ରାକ୍ଟିକାଲ୍‌ ସାମିଲ୍‌ ରହିବ ବୋଲି ଜଣାପଡ଼ିଛି।

ସେପଟେ ଭାରୀ ଯାନ ପାଇଁ ୬ ସପ୍ତାହରେ ୩୮ ଘଣ୍ଟା ରଖାଯାଇଛି। ଏଥିରେ ମଧ୍ୟ  ଉଭୟ ଥିଓରି ଏବଂ ପ୍ରାକ୍ଟିକାଲ୍‌ ଜ୍ଞାନ ଦିଆଯିବାକୁ ଥିବା ବେଳେ ରାଜ୍ୟ ବାହାରେ ଥିବା ରାସ୍ତାରେ ଗାଡ଼ି ଚଳାଇବାକୁ ନେଇ ବ୍ୟବହାର ଏବଂ କିଛି ଶିକ୍ଷଣୀୟ ତଥ୍ୟ  ଡ୍ରାଇଭରମାନଙ୍କୁ ଶିକ୍ଷା ଦିଆଯିବ। ଏହି ସବୁ ଚାଳକ ପ୍ରିଶିକ୍ଷଣ କେନ୍ଦ୍ରକୁ ୫ ବର୍ଷ ଯାଏ ଅନୁମତି ମିଳିବ। ଏହା ଦ୍ବାରା କୁଶଳୀ ଡ୍ରାଇଭର ମିଳିପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.