ଡ୍ରାଇଭିଂରେ ମଦ ପରେ ମୋବାଇଲ୍କୁ ଚେକ୍, ଗାଡି ଚଳାଇବା ବେଳେ ମୋବାଇଲ୍ରେ ଗପିଲେ ଲାଇସେନ୍ସ ହେବ ବାତିଲ
2/01/2020 at 12:51 PM

ଭୁବନେଶ୍ବର ୨।୧: ଗାଡି ଚଳାଇବା ବେଳେ ମୋବାଇଲ୍ ମନା । ମୋବାଇଲ ଫୋନ୍ ବ୍ୟବହାର କଲେ ଏଣିକି ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ଏହି ନିୟମ କଡ଼ାକଡ଼ି ପାଳନ କରିବା ପାଇଁ ପରିବହନ କମିସନର ଗତକାଲି ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି । ମୋବାଇଲରେ ଗପିବା ସହ ନାଲିବତୀ ଡେଇଁବା, ନିର୍ଦ୍ଧାରିତ ବେଗରୁ ଅଧିକ ଜୋରରେ ଗାଡ଼ି ଚଲାଇବା, ଓଭରଲୋଡିଂ, ମାଲବାହୀ ଯାନରେ ଯାତ୍ରୀ ପରିବହନ କରି ଧରାପଡ଼ିଲେ ଲାଇସେନ୍ସ ବାତିଲ ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
ନୂଆ ମୋଟରଯାନ ଆଇନ ଆସିବା ପରେ ରାଜ୍ୟରେ ଧରପଗଡ ଯୋରଦାର ହୋଇଥିଲା । କିନ୍ତୁ ଜନ ଅସନ୍ତୋଷ ବଢିବାପରେ ସରକାର ନିୟମ ଲାଗୁ କରିବାରେ ପ୍ରଥମ ତିନି ମାସ କୋହଳ କରିଥିଲେ । ଭିତ୍ତିଭୂମି ନଥିବାରୁ ଗାଡିର କାଗଜପତ୍ର ପ୍ରସ୍ତୁତରେ ଲୋକେ ଅସୁବିଧାରେ ପଡୁଥିଲେ । ଯାହାକୁ ଦେଖି ସରକାର ଲର୍ଣ୍ଣିଂ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ, ଗାଡି ଫିଟନେସ୍ ଆଦି କାଗଜ ପତ୍ର ପ୍ରସ୍ତୁତି କରିବାକୁ ୩ମାସ ସମୟ ଦେଇଥିଲେ । ମାତ୍ର ଡେଡ୍ ଲାଇନ୍ ପୁରିବା ପରେ ମଧ୍ୟ ସମାନ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଜନସାଧାରଣ । ଯାହାଫଳରେ ଆଉ ତିନି ମାସ ନିୟମ କୋହଳ କରାଯାଇଥିଲା ।