RTOରେ କରୋନା କଟକଣା : ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟିଂ ବନ୍ଦ

Published By : Prameya-News7 Bureau | March 18, 2020 IST

ଭୁବନେଶ୍ବର ୧୮।୩: କରୋନା ଭାଇରସକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନସ ଟେଷ୍ଟିଂକୁ ବନ୍ଦ କରିଦିଆଯାଇଛି । ମାର୍ଚ୍ଚ ୧୮ରୁ ୩୧ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ କରାଯାଇପାରିବ ନାହିଁ । ଆରଟିଓରେ ଭିଡ କମାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

କରୋନା ଭାଇରସକୁ ରୋକିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକାଠି ହେବା ଉପରେ ରୋକ୍ ଲଗାଯାଇଛି। ଏନେଇ ପରିବହନ କମିଶନର ସବୁ ଆରଟିଓକୁ ଚିଠି ଲେଖିଛନ୍ତି । ତେବେ ଆରଟିଓ କାର୍ଯ୍ୟାଳୟରେ ଫିଟନେସ୍, ପରମିଟ୍ ଓ ଟାକ୍ସ କଲେକ୍ସନ କାର୍ଯ୍ୟ ପୂର୍ବଭଳି ଜାରି ରହିବ ।

ଓଡିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବାପରେ ରାଜ୍ୟ ସରକାର ସମସ୍ତ ସଚେତନତାମୂଳକ ପଦକ୍ଷେପ ନେଉଛନ୍ତି ।ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲାଗୁ ହୋଇଥିବା ବିଭିନ୍ନ କଟକଣାକୁ ବୃଦ୍ଧି କରାଯାଇଛି । ଆବଶ୍ୟକ ପଡିଲେ ପୁଣି କଟକଣା ଅବଧି ବଢାଇବାକୁ ନିଷ୍ପତ୍ତି ନିଆଯିବ । ଲୋକଙ୍କ ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ।

କରୋନାରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଇସୋଲେସନ ୱାର୍ଡରେ ରଖାଯାଇଛି । ସେପଟେ ଏବେ ସେହି ବ୍ୟକ୍ତିମାନଙ୍କୁ ଖୋଜା ଚାଲିଛି ଯେଉଁମାନଙ୍କ ସଂସ୍ପର୍ଶରେ ସଂପୃକ୍ତ ରୋଗୀ ଆସିଥିଲେ । ଏହି ରୋଗୀ ପ୍ରାୟ ୧୨୯ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କ ମଧ୍ୟରୁ ୫୩ଜଣଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ବ୍ୟକ୍ତିମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଉଛି ।

ସେହିପରି ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି ଯେ, ବିଦେଶରୁ ଓଡିଶା ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି । ବିଦେଶରୁ ଓଡିଶାରେ ପହଞ୍ଚିବାର ୨୪ଘଣ୍ଟା ମଧ୍ୟରେ ଲୋକଙ୍କୁ ପଞ୍ଜୀକରଣ କରିବାକୁ ପଡିବ । ସେହିପରି କରୋନା ଆଶଙ୍କାରେ କ୍ୱାରେଣ୍ଟାଇନରେ ରଖିବା ପାଇଁ ଭୁବନେଶ୍ବରର ୨୫ଟି ସ୍ଥାନ ଚିହ୍ନଟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.