କଟକ ବଦଳରେ ୧୦୮ ଆମ୍ବୁଲାନ୍ସରେ ରୋଗୀଙ୍କୁ ବାଲେଶ୍ୱର ନେବା ଘଟଣା : ବହିସ୍କୃତ ହେଲେ ଡ୍ରାଇଭର

Published By : Prameya-News7 Bureau | March 01, 2021 IST

ଭଦ୍ରକ,୦୧/୦୩: ୧୦୮ ଆମ୍ବୁଲାନ୍ସରେ ରୋଗୀଙ୍କୁ କଟକ ନେବା ବଦଳରେ ବାଲେଶ୍ୱର ନେବା ଉଦ୍ୟମ ଘଟଣାରେ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆମ୍ବୁଲାନ୍ସର ଡ୍ରାଇଭର ସୁକଦେବ ନାୟକଙ୍କ ବିରୋଧରେ  ପ୍ରଶାସନ ଆକ୍ସନ ନେଇଛି । ୧୦୮ ଆମ୍ବୁଲାନ୍ସ ଭଦ୍ରକ ଜିଲ୍ଲା ମୁଖ୍ୟ ଶିବ ସୁନ୍ଦର ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।

ସଂପୃକ୍ତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ବହିସ୍କୃତ କରାଯାଇଛି।  ସେହିପରି ଫାର୍ମାସିଷ୍ଟ ଓ ହେଲପରଙ୍କୁ ଅଫ ଡ୍ୟୁଟି ବା କାର୍ଯ୍ୟରୁ ଅବ୍ୟାହତି କରାଯାଇଛି ।ଏହାସହ ଘଟଣାର ତଦନ୍ତ ଜାରି ରହିଛି ।

ସୂଚନାନୁସାରେ, ଭଦ୍ରକ  ଗ୍ରାମାଞ୍ଚଳ ଥାନା ରମ୍ବିଳା ଅଞ୍ଚଳର ଗୀତାରାଣୀ ବାରିକଙ୍କ ପୁଅ ଗଛରୁ ଖସିପଡିଥିଲେ । ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ କହିଥିଲେ । ରୋଗୀଙ୍କ ମାଆ ଓ ବାପା ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବା ପରେ ଆମ୍ବୁଲାନ୍ସ ପହଞ୍ଚିଥିଲା । ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ କଟକ ଅଭିମୁଖେ ଯିବା ବଦଳରେ ବାଲେଶ୍ୱର ଅଭିମୁଖେ ଯାଇଥିଲା । ରୋଗୀଙ୍କ ବାପା ଓ ମାଆ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପଚାରିବା ସତ୍ତ୍ୱେ କୌଣସି ଉତ୍ତର ପାଇନଥିଲେ । ଶେଷରେ କୌଣସି ଉପାୟ ନ ପାଇ ଆମ୍ବୁଲାନ୍ସ ଝରକାରେ ଚିତ୍କାର କରିଥିଲେ ।

ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ପିଛା କରି ଚରମ୍ପା ସ୍ଥିତ କେନାଲ ଛକ ନିକଟରେ ଅଟକାଇଥିଲେ । ସେହି ସମୟରେ ରୋଗୀଙ୍କ ମା ଆମ୍ବୁଲାନ୍ସରୁ ଡେଇଁ ପଡ଼ିଥିଲେ । ଲୋକେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଅଟକ ରଖି ଭଦ୍ରକ ଟାଉନ ପୋଲିସକୁ ହସ୍ତାନ୍ତର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.