ଦ୍ବାରଶୁଣୀ ଘାଟିରେ ୮୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ୍ : ଡ୍ରାଇଭର ମୃତ, ହେଲପର୍ ଗୁରୁତର
10/06/2020 at 11:41 AM

ବାରିପଦା ୧୦।୬: ମୟୂରଭଞ୍ଜ ବାଙ୍ଗିରିପୋଷୀ ଥାନା ଦ୍ବାରଶୁଣୀ ଘାଟିରେ ଦୁର୍ଘଟଣାଗ୍ରସ୍ତ ହେଲା ପିଆଜ ବୋଝେଇ ଟ୍ରକ୍ । ଘାଟିରୁ ୮୦ ଫୁଟ ତଳକୁ ଖସି ପଡ଼ିଲା ପିଆଜ ବୋଝେଇ ଟ୍ରକ୍। ଟ୍ରକ୍ ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ପିଆଜ ବୋଝେଇ ଟ୍ରକଟି ନାସିକରୁ କଲିକତା ଅଭିମୁଖେ ଯାଉଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସି ପଡିଛି । ଫଳରେ ଟ୍ରକ୍ ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ହେଲପରଙ୍କୁ ଚିକିତ୍ସା ପାଇଁ ବାରିପଦା ପି.ଆର.ଏମ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣାସ୍ଥଳରେ ବାଙ୍ଗିରିପୋଷୀ ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ତଦନ୍ତ ଆରମ୍ଭ କରିଛନ୍ତି । ଗତ ବର୍ଷେ ଭିତରେ ଘାଟୀରେ ଶହେରୁ ଅଧିକ ଦୁର୍ଘଟଣା ଘଟି ସାରିଲାଣି । ବାରମ୍ବାର ପ୍ରଶାସନିକ ସମୀକ୍ଷା ପରେ ବି ଦୁର୍ଘଟଣା ରୋକିବା ଲାଗି କୌଣସି ସୁରକ୍ଷା ଭିତ୍ତିକ ପଦକ୍ଷେପ ନିଆଯାଉ ନାହିଁ ।