ଦେବଗଡ, ୧୯।୦୫: ଦେବଗଡ ଆଦର୍ଶ ଥାନା ପୋଲିସ ଜଣେ ଲୁଟେରା ଡ୍ରାଇଭରକୁ ଗିରଫ କରିବା ସହ ତା ପାଖରୁ ୭ ଲକ୍ଷ ଦଶ ହଜାର ଟଙ୍କା ଉଦ୍ଧାର କରିଛି । ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ନିର୍ମଳ ଚନ୍ଦ୍ର ଗତ ୧୫-୨୦ ବର୍ଷ ହେବ ମୁମ୍ବାଇରେ ରହି ସୁନା ଗହଣା ବେପାର କରୁଥିଲେ । ସେ ମୁମ୍ବାଇରୁ କୋଲକାତା ଅଭିମୁଖେ ନିଜ ଏକ୍ସୟୁଭି କାର ଯୋଗେ ବାହାରି ଥିବାବେଳେ ସାଙ୍ଗରେ ଡ୍ରାଇଭର୍ ଭାବେ ମୁମ୍ବାଇର ଜଣେ ଟ୍ୟାକ୍ସି ଡ୍ରାଇଭର୍ ମୁକୁଳ ସନ୍ତୋଷ ଦାସକୁ ନେଇ ଯାଉଥିଲେ ।
ବୁଧବାର ରାତିରେ ଉଭୟ ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ କୈଳାଶ ଛକଠାରେ ଏକ ଢାବା ସମ୍ମୁଖରେ ଗାଡି ମଧ୍ୟରେ ଶୋଇଥିଲେ । ସକାଳ ସମୟରେ ଡ୍ରାଇଭର୍ ମୁକୁଳ ସନ୍ତୋଷ କାର ମଧ୍ୟରେ ବ୍ୟାଗରେ ଥିବା ସାତ ଲକ୍ଷ ଦଶ ହଜାର ଟଙ୍କା ଧରି ଫେରାର ମାରିଥିଲା । ଏନେଇ ନିର୍ମଳ ଚନ୍ଦ୍ର ଦେବଗଡ ଆଦର୍ଶ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଲୁଟେରା ଡ୍ରାଇଭରର ମୋବାଇଲ ଟ୍ରାକ କରି ତାକୁ ବଡକୁଦର ଗ୍ରାମ ନିକଟରେ ଥିବା ଟୋଲଗେଟ ନିକଟରୁ ଧରିବା ସହ ତା ଠାରୁ ସାତ ଲକ୍ଷ ଦଶ ହଜାର ଟଙ୍କା ଉଦ୍ଧାର କରିଛି । ପୋଲିସ ପକ୍ଷରୁ ଅଭିଯୁକ୍ତ ଡ୍ରାଇଭର ମୁକୁଳ ସନ୍ତୋଷ ଦାସକୁ ଗିରଫ କରାଯାଇଛି।