ଝିଅ ବାହାଘର ପାଇଁ ନଥିଲା ଟଙ୍କା: ମାଲିକର ଜାଆଁଳା ପୁଅଙ୍କୁ ଅପହରଣ କରି ଏକ କୋଟି ଟଙ୍କା ଦାବି କଲା ଡ୍ରାଇଭର

Published By : Prameya-News7 Bureau | January 28, 2021 IST

ମୁମ୍ବାଇ ୨୮/୦୧ : ଝିଅ ବାହାଘର ପାଇଁ ଡ୍ରାଇଭର ପାଖରେ ନଥିଲା ଅର୍ଥ। ସେଥିପାଇଁ ସେ ନିଜ ମାଲିକଜଣକ ଜାଆଁଳା ଶିଶୁଙ୍କୁ ଅପହରଣ କରିନେଲା। ଏହାପରେ ଡ୍ରାଇଭରର ଜଣେ ସାଥି ମାଲିକଙ୍କୁ ଇଣ୍ଟରନ୍ୟାଶନାଲ କଲିଂ ଆପ୍ ଜରିଆରେ ଫୋନ କରି ଏକ କୋଟି ଟଙ୍କା ଦାବି କରିଥିଲା। ଡ୍ରାଇଭର ଭାବିଥିଲା ଏହି ଷଡଯନ୍ତ୍ରରେ ସେ ସଫଳ ହୋଇଯିବ। କିନ୍ତୁ ତା ପୂର୍ବରୁ ପୋଲିସ ତାକୁ ଓ ତା ସାଥିକୁ କାବୁ କରିନେଲା।

ପୋଲିସ କହିବାନୁଯାୟୀ, ଅଭିଯୁକ୍ତ ଡ୍ରାଇଭର ନିଜ ମାଲିକଙ୍କ ୧୦ ବର୍ଷର ଜାଆଁଳା ପୁଅଙ୍କୁ ସପ୍ତାହକୁ ୩ ଦିନ ଅନ୍ଧେରୀ ମନୀଷ ନଗରକୁ ଟେନିସ କୋଚିଂ ପାଇଁ ନେଇଯାଇଥାଏ। ଜାନୁଆରୀ ୨୫ ତାରିଖ ଦିନ ମଧ୍ୟ ଡ୍ରାଇଭର ପିଲାଙ୍କୁ ନେଇ କୋଚିଂ ପାଇଁ ଘରୁ ବାହାରିଗଲା। ସନ୍ଧ୍ୟାରେ ଡ୍ରାଇଭର ଦୌଡ଼ି ଦୌଡ଼ି ଡିଏନ ନଗର ଥାନାରେ ପହଞ୍ଚିଲା। ଥାନାରେ ସେ ଯାଇ କହିଲା ତା ମାଲିକଙ୍କ ଦୁଇ ପୁଅଙ୍କୁ ଅପହରଣ କରାଯାଇଛି। ସେ କହିଲା ଦୁଇ ପୁଅଙ୍କୁ ନେଇ ସେ ଟେନିସ କୋଚିଂ ପାଇଁ ଯାଇଥିଲା। ସେତେବେଳେ ଜଣେ ଦୁର୍ବୁତ୍ତ ଆସି ଛୁରୀ ଦେଖାଇ ଫର୍ଚୁନର କାର ଭିତରେ ବସିଲା ଓ କାରକୁ ଜୁହୁ ଆଡକୁ ନେଇଯାଇଥିଲା। ସେଠାରେ ଅପହରଣକାରୀ ତାକୁ ଓ ପିଲାଙ୍କୁ ଦୁଇଟି ଲେଖାଏଁ ବଟିକା ଖାଇବାକୁ ଦେଇଥିଲେ ବୋଲି ସେ କହିଥିଲା। ଏହାପରେ ଅପହରଣକାରୀ ସେମାନଙ୍କ ହାତ ବାନ୍ଧି ଦେଇଥିଲେ।

ତାପରେ ସେଠାରେ ୩ଟି ବାଇକରେ ଆଉ ୬ଜଣ ପହଞ୍ଚିଥିଲେ। ଏହାପରେ କ୍ରୋମା ମଲ ସାମ୍ନାରେ ସେଠାରେ ଛିଡା ହୋଇଥିବା ଏକ ବସରେ ଜଣେ ଶିଶୁକୁ ବାନ୍ଧି ଦେଇଥିଲେ। ଡ୍ରାଇଭରକୁ ଓ ଅନ୍ୟ ଶିଶୁକୁ ଅପହରଣକାରୀ ନିଜ ସହ ନେଇଯାଇଥିଲେ। ଏହାପରେ ଅଭିଯୁକ୍ତମାନେ ଇଣ୍ଟରନ୍ୟାଶନାଲ କଲିଂ ଆପ୍ ଜରିଆରେ ଫୋନ୍ କରି ମାଲିକଙ୍କୁ ଏକ କୋଟି ଟଙ୍କା ଦାବି କରିଥିଲେ।

ସୂଚନା ପାଇବା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ଓ ଜଣେ ଶିଶୁକୁ ଉଦ୍ଧାର କରିଥିଲା। ବସରେ ବନ୍ଧା ହୋଇଥିବା ଶିଶୁକୁ ସେଠାରେ ଉପସ୍ଥିତ କିଛି ଲୋକ ଉଦ୍ଧାର କରିଥିଲେ। ତଦନ୍ତ ବେଳେ ପୋଲିସକୁ ଡ୍ରାଇଭରର କାହାଣୀ ଉପରେ ସନ୍ଦେହ ହୋଇଥିଲା। ଡ୍ରାଇଭରକୁ ପୋଲିସ ଜେରା କରିଥିଲା। ଜେରା ସମୟରେ ସେ ନିଜ ଦୋଷ ସ୍ୱୀକାର କରିଥିଲା। ସେ କହିଲା ଯେ ଝିଅ ବାହାଘର ପାଇଁ ତାକୁ ଟଙ୍କା ଦରକାର ଥିଲା। ଟଙ୍କା ଯୋଗାଡ ପାଇଁ ସେ ନିଜ ଶଳାକୁ ଦିଲ୍ଲୀକୁ ଡାକିଥିଲା। ଡ୍ରାଇଭର ଅପହରଣ ଟଙ୍କାରୁ ଅଧା ଶଳାକୁ ଦେବାକୁ ପ୍ରତିଶୃତି କରିଥିଲା। ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.