୨ସ୍ତ୍ରୀ ଥାଇ ତୃତୀୟା ପାଇଁ ମନ ବଳିଲା, ଛାତ୍ରୀଙ୍କ ସହ ଫେରାର ହୋଇ ଧରାପଡିଲେ ଡ୍ରାଇଭର

Published By : Prameya-News7 Bureau | July 02, 2020 IST

ଧର୍ମଗଡ଼ ୦୨।୦୭: ଦୁଇ ଦୁଇ ଜଣ ସ୍ତ୍ରୀ ଏବଂ ଉଭୟଙ୍କ କୋଳରେ ଦୁଇଟି କନ୍ୟା ସନ୍ତାନ ଥାଉ ଥାଉ ଆଉ ଜଣେ ଛାତ୍ରୀଙ୍କୁ ପ୍ରେମରେ ଫସାଇ ଫେରାର ମାରିଥିଲା ବସ୍‌ ଡ୍ରାଇଭର । ଛାତ୍ରୀଙ୍କ ସହ ଲକ୍ଷାଧିକ ଟଙ୍କାର ଓ ସୁନା ମଧ୍ୟ ସାଙ୍ଗରେ ନେଇ ଯାଇଥିଲା । ହେଲେ ଛାତ୍ରୀଙ୍କ ପରିବାରର ଅଭିଯୋଗ ପରେ ସିଧା ଜେଲ୍‌କୁ ଗଲା ଅଭିଯୁକ୍ତ । ଏଭଳି ଏକ ଘଟଣା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନାଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅଭିଯୁକ୍ତ ଡ୍ରାଇଭର କେଁଗାଁ ଥାନା ଚପ୍ରଆ ଗାଁର ଆନନ୍ଦ ଦାସ (୩୦) ।

ପୁଲିସ ସୂଚନାମତେ, ଧର୍ମଗଡ଼ ଥାନା ଅଞ୍ଚଳର ଛାତ୍ରୀ ଜଣକ ଅନ୍ୟ ଏକ ବ୍ଲକ୍‌ରେ ଏକ କଲେଜରେ ପଢ଼ୁଥିଲେ । କଲେଜଟି ଘରଠାରୁ ଦୂରରେ ଥିବାରୁ ସେ ନିୟମିତ ବସ୍‌ରେ ଯିବା ଆସିବା କରୁଥିଲେ । ଏହି ସମୟରେ ବସ୍‌ ଡ୍ରାଇଭର ଆନନ୍ଦ ସହ ତାଙ୍କର ଚିହ୍ନା ପରିଚୟ ହୋଇଥିଲା । ଏପରି କି ପୂର୍ବରୁ ଦୁଇ ଥର ବିବାହ କରିଥିଲେ ମଧ୍ୟ ଆନନ୍ଦ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇଥିଲା । ପରେ ବିବାହର ପ୍ରଲୋଭନ ଦେଖାଇ ଜୁନ ୭ରେ ଛାତ୍ରୀଙ୍କୁ ଆନନ୍ଦ ଘରୁ ଫେରାର କରି ନେଇଥିଲା । ଘରୁ ଗଲା ସମୟରେ ଛାତ୍ରୀ ଜଣକ କିଛି ସୁନା ଓ ୧ ଲକ୍ଷ ୧୦ ହଜାର ଟଙ୍କା ମଧ୍ୟ ନେଇ ଯାଇଥିଲେ ।

ଛାତ୍ରୀ ନିଖୋଜ ହେବା ପରେ ଘର ଲୋକ ବହୁ ଖୋଜାଖୋଜି କରି ପାଇନଥିଲେ । ଏ ନେଇ ଧର୍ମଗଡ଼ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ତନାଘନା କରିଥିଲା । କୌଣସି ସୂତ୍ରରୁ ଖବର ପାଇ ଗତକାଲି ଭବାନୀପାଟଣା ଆଇଟିଆଇ ପଛପଟ ଥିବା ଏକ ଘର ଉପରେ ପୁଲିସ ଚଢ଼ଉ କରି ଉଭୟଙ୍କୁ ଧରିଥିଲା । ଛାତ୍ରୀଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଆନନ୍ଦକୁ ଗିରଫ କରିଥିଲା । ଆଜି ତାକୁ କୋର୍ଟଚାଲାଣ କରିଥିଲା । ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ କରିବା ଅପରାଧ ହୋଇଥିବାବେଳେ ଦୁଇଥର ବିବାହ କରି ପୁଣି ଜଣେ ନିର୍ବୋଧ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇଥିବା ବସ୍‌ ଡ୍ରାଇଭରକୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଛାତ୍ରୀଙ୍କ ପରିବାର ଲୋକେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.