ବସ ଚଳାଉଥିବାବେଳେ ଡ୍ରାଇଭରଙ୍କୁ ଆକସ୍ମିକ ହୃଦଘାତ: ବସ ହେଲା ଦୁର୍ଘଟଣାଗ୍ରସ୍ତ,୨ମୃତ ଓ ୧୪ ଆହତ… ଦେଖନ୍ତୁ ଭିଡିଓ
12/10/2019 at 3:46 PM

ହରିୟାଣ୧୨|୧୦: ହରିୟାଣରେ ଏକ ଅଭାବନୀୟ ଘଟଣା ଘଟିଛି। ନୂରଓ୍ବାଲ ବରସତ ରୋଡ୍ କୃପାଲ ଆଶ୍ରମ ନିକଟରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଏକ ପୋଖରୀ ଭିତରକୁ ଖସି ପଡିଛି। ସୂଚନା ମୁତାବକ ଏହି ବସରେ ପାଖାପାଖି ୧୦୦ ଯାତ୍ରୀ ଯାତ୍ରା କରୁଥିଲେ।

ବସ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଯାତ୍ରୀ ଗୁରୁତର ଆହାତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅଚାନକ ବସ ଚାଳକଙ୍କୁ ହୃଦଘାତ ହେବା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିଲା।

ସକାଳ ପ୍ରାୟ ସାଢ଼େ ୯ ଟା ବେଳେ ଯାତ୍ରୀବାହୀ ବସଟି ବରସତରୁ ପାନୀପତ ଅଭିମୁଖେ ଯାଉଥିଲା। ବସରେ ମଧ୍ୟ ଓଭର ଲୋଡ଼ ଥିବା କଥା ଜଣା ପଡ଼ିଛି। ଏମିତିକି ବସ ଛାତ ଉପରେ ମଧ୍ୟ ଯାତ୍ରୀମାନେ ବସି ଯାତ୍ରା କରୁଥିଲେ। କରନାଳର କଲହେଡ଼ୀ ଗାଁର ରହୁଥିବା ୩୩ ବର୍ଷ ବୟସ୍କ ମୁକେଶ ଗାଡି ଚଳାଉଥିଲେ। ଗାଡ଼ି ଚଳାଉଥିବା ବେଳେ ମୁକେଶଙ୍କୁ ହଠାତ ହୃଦଘାତ ହୋଇଥିଲା। ଫଳରେ ସେ ବସର ଭାରସାମ୍ୟ ରକ୍ଷା କରିପାରିନଥିଲେ । କୃପାଲ ଆଶ୍ରମ ପାଖରେ ଥିବା ପୋଖରୀ ଭିତରକୁ ବସଟି ପସି ଯାଇଥିଲା ।
ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ବସ ଡ୍ରାଇଭରଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଛି୍। ୧୪ଟି ଅମ୍ବୁଲାନ୍ସରେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାସହ କ୍ରେନ ସାହାଯ୍ୟରେ ମଧ୍ୟ ଦୁର୍ଘଟଣାଗ୍ରସ୍ତ ବସରୁ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା।