ରାଜ୍ୟରେ ଡ୍ରାଇଭ୍ ଇନ୍ ଏବଂ ଡୋର୍ ଷ୍ଟେପ୍ ଟିକାକରଣ ଉପରେ ରୋକ୍‌

Published By : Prameya-News7 Bureau | May 19, 2021 IST

ଭୁବନେଶ୍ବର ୧୯/୫: ଗାଡ଼ି​ରେ ବସି ଆଉ ଟିକା ନେଇପାରିବେନି ଲୋକେ।   ରାଜ୍ୟରେ ଡ୍ରାଇଭ୍ ଇନ୍ ଏବଂ ଡୋର୍ ଷ୍ଟେପ୍ କୋଭିଡ୍ ଟିକାକରଣ ବନ୍ଦ କରାଯିବ । ଭୁବନେଶ୍ବରେ ଲୋକେ କାରରେ ବସି ଟିକା ନେଉଥିଲେ। ସେପଟେ ବ୍ରହ୍ମପୁରରେ ଡୋରଷ୍ଟେପ ଟିକାକରଣ ବି ହେଉଥିଲା। କିନ୍ତୁ ଏବେ ଉଭୟ ଡ୍ରାଇଭ୍ ଇନ୍ ଏବଂ ଡୋରଷ୍ଟେପ ଟିକାକରଣ ବନ୍ଦ ହେବ।  

ଡ୍ରାଇଭ ଇନ୍‌ ଏବଂ ଡୋର ଷ୍ଟେପ୍‌ ଟିକାକରଣକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଅନୁମତି ଦେଇ ନଥିବାରୁ ଏହାକୁ ବନ୍ଦ କରିବାପାଇଁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି । ସାଧାରଣତଃ ଟିକାକରଣ କୋଠରୀରେ ଟିକାକରଣ କରାଯିବା ସହ ଟିକା ନେଇଥିବା ବ୍ୟକ୍ତିଙ୍କୁ ପ୍ରାୟ ଅଧଘଣ୍ଟା ପର୍ଯ୍ୟବେକ୍ଷଣରେ  ରଖାଯାଏ ।

କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲେ ତୁରନ୍ତ ଚିକିତ୍ସା କରିବାର ଆବଶ୍ୟକତା ରହିଛି । ମୁଖ୍ୟତଃ ଟିକା ନେଉଥିବା ଲୋକଙ୍କ ପାଇଁ ପ୍ରତୀକ୍ଷା ସ୍ଥାନ ବା ବିଶ୍ରାମ ସ୍ଥାନ ରହିବା ଆବଶ୍ୟକ । ମାତ୍ର ଡ୍ରାଇଭ୍ ଇନ୍ ଏବଂ ଡୋର୍ ଷ୍ଟେପ୍ ଟିକାକରଣରେ ଏହି ବ୍ୟବସ୍ଥା ନଥାଏ । ଏଥିପାଇଁ ଡ୍ରାଇଭ୍ ଇନ୍ ଏବଂ ଡୋର୍ ଷ୍ଟେପ୍ ଟିକାକରଣ ବନ୍ଦ କରିବା ପାଇଁ ନିର୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.