Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଟକ ବୃହତ ପାନୀୟ ଜଳ ପ୍ରକଳ୍ପରେ ଲାଗିଛି ବ୍ରେକ୍ : ଚାଲିଛି ପ୍ରଚଣ୍ଡ ରାଜନୀତି

30/07/2019 at 7:07 PM

କଟକ ୩୦/୭: କଟକିଆଙ୍କ  ପାନୀୟ ଜଳ ଆବଶ୍ୟକତା ମେଣ୍ଟିବ କେବେ ?  ଏହି ପ୍ରଶ୍ନର କାରଣଟି ହେଲା, ଅଧାବାଟରେ ଅଟକିଛି ବୃହତ ପାନୀୟ ଜଳ ପ୍ରକଳ୍ପ କାମ । ମହାନଦୀ ବନ୍ଧ ଦେଇ ପାଇପ ଲାଇନ୍‌ ଯାଇ ପାରିବ ନାହିଁ ବୋଲି ଜଳ ସମ୍ପଦ ବିଭାଗ ଜିଦ୍‌  ଧରି ବସିଥିବାରୁ ସମସ୍ୟା । ଏପଟେ, ପ୍ରକଳ୍ପ କାମନେଇ ଆରମ୍ଭ ହୋଇ ଯାଇଛି ରାଜନୀତି । ଶାସକ ଦଳ ନେତା ଅଭିମାନ କରି କହିଛନ୍ତି,କଟକ ପାଇଁ ବୃହତ ଜଳ ପ୍ରକଳ୍ପ ନିର୍ମାଣ ତାଙ୍କର ସ୍ବପ୍ନ ଥିଲା।  କିନ୍ତୁ କଟକିଆ ମାନେ କଂଗ୍ରେସକୁ ଜିତାଇଛନ୍ତି , ତେଣୁ ବିଧାୟକ ତାଙ୍କ ଉତ୍ତର ଦାୟିତ୍ବ ବହନ କରନ୍ତୁ । କିନ୍ତୁ କଂଗ୍ରେସ ବିଧାୟକ ମହମ୍ମଦ ମୁକିମ୍‌ଙ୍କ ଯୁକ୍ତି ହେଉଛି କିଛି ଅଲଗା । ଫଳରେ  ରାଜନୀତିର ଗୋଳିଆ ପାଣି ଭିତରେ ଏହି ବହୁ ପ୍ରତିକ୍ଷିତ ପ୍ରକଳ୍ପ ହଜିଯିବାଭଳି ଲାଗିଲାଣି।

କଟକ ସହର ବାସୀଙ୍କ ଲାଗି  ଆରମ୍ଭ ବୃହତ ପାନୀୟ ଜଳ ପ୍ରକଳ୍ପରେ ଏବେ ବ୍ରେକ୍ । ଅଧାରେ ଅଟକି ଯାଇଛି ଏହି ଯୋଜନା । ପ୍ରାୟ ୩ ଶହ ୫୦ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ। ଏହା  ଶତପ୍ରତିଶତ କାର୍ଯ୍ୟକ୍ଷମ ହେଲେ, କଟକ ସହର ବାସିଙ୍କ ପିଇବା ପାଣି ସମସ୍ୟା ଦୂର ହୋଇ ପାରିବ । କିନ୍ତୁ ରାଜନୈତିକ ଦାଓ ପେଞ୍ଚ କାରଣରୁ ହେଉ ଅବା ଆଉ କିଛି. କାରଣ , ଏହି ବହୁ ପ୍ରତିକ୍ଷିତ ପ୍ରକଳ୍ପ ଏବେ ଅଧା ବାଟରେ ଅଟକି ଯାଇଛି ।ଏଥିପାଇଁ ଜଳସମ୍ପଦ ବିଭାଗ ଅନ୍ତରାୟ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡି ନେତା ଦେବାଶିଷ ସାମନ୍ତରାୟ । ତେବେ  ଏହି ପ୍ରକଳ୍ପକୁ ତାଙ୍କ ବ୍ରେନ୍‌ ଚାଇଲ୍ଡ ବୋଲି  ଦାବି କରୁଥିବା ଦେବାଶିଷ  ନିର୍ବାଚନୀ ପରାଜୟ କଥା କହି ନିଜକୁ ଦାୟିତ୍ବରୁ ଖସାଇ ନେଇ  ଏବେର ବିଧାୟକ ତାଙ୍କ ଦାୟିତ୍ବ ତୁଲାନ୍ତୁ ବୋଲି  କହିଛନ୍ତି ।

ମହାନଦୀରୁ ଆଇ ଓ ସି ଏଲ ପାଣିନେବା ପ୍ରସଙ୍ଗରେ ଯେଉଁ ବିବାଦ ଆରମ୍ଭ ହୋଇଥିଲା , ତାର ଫଳ ସ୍ବରୁପ କଟକିଆଙ୍କୁ ମିଳିଥିଲା ଏହି ବୃହତ  ଯୋଜନା । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କଟକ ବିଜୁ ପଟ୍ଟନାୟକ ପାର୍କ ନିକଟରେ ଆଇ ଓ ସି ଏଲ ନିର୍ମାଣ କରୁଛି ଟ୍ରିଟମେଣ୍ଟ ପ୍ଲାଣ୍ଟ । ସେଠାରେ ମହାନଦୀର ପାଣିକୁ  ବିଶୋଧିତ କରାଯାଇ ସହରବାସୀଙ୍କୁ  ଯୋଗାିବାର ଯୋଜନା ହୋଇଥିଲା । କିନ୍ତୁ ଏଥିପାଇଁ ଚହଟା ସ୍ଥିତ ଇନଟେକ୍‌ ଓ୍ବେଲ ଠାରୁ ପାଇପ ଲାଇନ ବିଛାଯାଇ ସାରିଥିଲେବି ତାହା ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିକଟରେ ପହଞ୍ଚିପାରୁନାହିଁ । କାରଣ  ସେଥିପାଇଁ ଜଳସମ୍ପ ବିଭାଗ ଅନୁମତି ଦେଉନଥିବା କହୁଛି ଜନସ୍ବାସ୍ଥ୍ୟ ବିଭାଗ ।ତେଣେ ବାରବାଟୀ କଟକର ବିଧାୟକ ମହମ୍ମଦ ମୁକିମ୍‌ ଏହି ପ୍ରସଙ୍ଗରେ ସରକାରଙ୍କ ଉପରକୁ  ଦୋଷ ଠେଲିଛନ୍ତି । କହିଛନ୍ତି,ଏହି ବୃହତ ପ୍ରକଳ୍ପର ସଫଳତା ଲାଗି ସରକାରଙ୍କର ଆନ୍ତରିକତା ନାହିଁ।

୨୦୧୨ ମସିହାରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ , ଏବଂ ୨୦୧୭ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବାର ଲକ୍ଷ ଧାର୍ଯ୍ୟ ହୋଇଥିଲା । କିନ୍ତୁ  ନିର୍ଦ୍ଧାରିତ ସମୟର ୨ ବର୍ଷ ପରେ ବି  କାମ ଅଧାରେ ଅଟକିଛି । ରାଜନେତାଙ୍କ ବଶଳ କଷାକଷି କିମ୍ବା ସରକାରୀ କଳର ଅବହେଳା , କୌଣସି ପାଇଁ  କଟକିଆଙ୍କ ସ୍ବାର୍ଥ ଉପେକ୍ଷିତ ହେଲା ଭଳି ଅବସ୍ଥା । ତେଣୁ  ଜନସ୍ବାର୍ଥକୁ ଲକ୍ଷ୍ୟ ରଖି ଏଥିରେ ତୃତୀୟ ପକ୍ଷ ଭାବେ ମୁଣ୍ଡ ପୁରାଇବାକୁ କିଛି ସଂଗଠନ ଆଗ୍ରହ ଦେଖାଇଲେଣି ।

   Related Posts