ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ପିଇବା ହସ୍ତସନ୍ତର ଲୋକେ, ଶୋଷ ମେଣ୍ଟାଉଛି ଚୁଆ ପାଣି
9/06/2019 at 3:46 PM

ଲମତାପୁଟ ୯|୬: ଶୋଷ ମେଣ୍ଟାଉଛି ଚୁଆ ପାଣି । ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ପିଇବା ପାଣି ପାଇଁ ନାକେଦମ ହେଉଛନ୍ତି ଲୋକେ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ମୁଚେମପୁଟର ଏ ସମସ୍ୟା ଆଜି କାଲିର ନୁହେଁ । ପ୍ରତିବର୍ଷ ଖରା ଦିନେ ଏଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଲୋକେ ।

ଡହ ଡହ ଖରାରେ ପାଣି ପାଇଁ ଧାଡି ବାନ୍ଧି ଯାଉଛନ୍ତି ମହିଳା । କାହା ହାତରେ ଅଛି ଗରା ତ ଆଉ କାହା ହାତରେ ରହିଛି ବାଲଟି । ମାଇଲି ମାଇଲି ବାଟ ଚାଲିଲେ ଯାଇ ମିଳିବ ଚୁଆ ପାଣି । ଚୁଆର ଗୋଳିଆ ପାଣି ଆଣିଲେ ଯାଇ ଘରେ ଜଳିବ ଚୁଲି । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଲମତାପୁଟ୍ ମଚେମପୁଟ ଗ୍ରାମବାସୀ ଏଭଳି ହନ୍ତସନ୍ତ ହେଉଛନ୍ତି।

ମୁଚେମପୁଟରେ ୩୦ରୁ ଅଧିକ ପରିବାର ବସବାସ କରନ୍ତି ହେଲେ ଏମାନଙ୍କ ପାଇଁ ସରକାରଙ୍କ ପାନୀୟ ଜଳ ଯୋଗାଣ ଯୋଜନା ଯେମିତି ଉପହାସ । ଗାଁ ଗାଁରେ ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଇ ଦେବାକୁ ନଳକୂପ ଠାରୁ ଆରମ୍ଭ କରି ବୋରୱେଲ, ଓଭର ହେଡ଼୍ ଟାଙ୍କି ମାନ ନିର୍ମାଣ କରାଉଥିବା ବେଳେ, ଓସ୍ତପାଳ ଗାଁର ଲୋକେ କିନ୍ତୁ ଏଥିରୁ ବଞ୍ଚିତ । ଲକ୍ଷାଧିକ ଟଙ୍କାରେ ଗାଁ ମୁଣ୍ଡରେ ତିଆରି ହୋଇଥିବା ଉଠା ଜଳସେଚନ ପ୍ରକଳ୍ପ ଗୋଟିଏ ଦିନ ପରେ ଅଚଳ ।

ଗାଁରେ ଗୋଟିଏ ନଳକୂପ ରହିଛି, ହେଲେ ସେଥିରୁ ଗୋଳିଆ ପାଣି ବାହାରୁଛି । ତେଣୁ ଖରା ଦିନ ହେଲେ ସ୍ଥିତି ଅସମ୍ଭାଳ । ନଦୀ ନାଳ ଶୁଖି ଯାଉଥିବା ବେଳେ ଚୁଆ ପାଣି ହିଁ ଏକମାତ୍ର ଭରସା । ସେପଟେ ବିଡିଓଙ୍କ ଚିରାଚରିତ ଉତ୍ତର ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ।