ପୁଣି ଚର୍ଚ୍ଚାରେ DRDO, କରୋନା ଔଷଧ ପରେ ତିଆରି କଲା ଆଣ୍ଟିବଡି ଟେଷ୍ଟ କିଟ୍‌

Published By : Prameya-News7 Bureau | May 21, 2021 IST

ନୂଆଦିଲ୍ଲୀ ୨୧/୫: କରୋନା ରୋଗୀଙ୍କ ପାଇଁ ଔଷଧ 2DG ଆବିଷ୍କାର କରିବା ପରେ ଏବେ ଡିଆରଡିଓ ପୁଣି ଥରେ ଉଦାହରଣ ସାଜିଛି। ଡିଆରଡିଓ ଏବେ ଆଣ୍ଟିବଡି ଡିଟେକ୍ସନ୍‌ କିଟ୍‌ ପ୍ରସ୍ତୁତ କରିଛି। ଏହି କିଟ୍‌ର ନାଁ ରହିଛି DIPCOVAN । ଏହାକୁ ଦିଲ୍ଲୀର ଭେନ୍‌ଗାର୍ଡ ଡାୟଗୋନିଷ୍ଟିକ୍‌ ପ୍ରଇଭେଟ୍‌ ଲିମିଟେଡ୍‌ର ସହଭାଗିତାରେ ବିକଶିତ କରାଯାଇଛି।

କିଟ୍‌ ସମ୍ପୁର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ । ଭାରତୀୟ ବୈଜ୍ଞାନିକ ଏହାକୁ ବିକଶିତ କରିଛନ୍ତି। ଦିଲ୍ଲୀର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ୧୦୦୦ ରୋଗୀଙ୍କ ଶରୀରରେ ଏହାର ପରୀକ୍ଷା କରିବା ପରେ ଏହି କିଟ୍‌ର କାର୍ଯ୍ୟଦକ୍ଷତା ନେଇ ସାର୍ବଜନୀନ କରାଯାଇଛି। ଗତବର୍ଷରୁ ଏହି କିଟ୍‌ର ୩ଟି ସ୍ତରରେ ପରୀକ୍ଷଣ କରାଯାଇଛି। ଏପ୍ରିଲ୍‌ ୨୦୨୧ରେ ଏହି କିଟ୍‌କୁ ଇଣ୍ଡିଆନ୍‌ କାଉନସିଲ୍‌ ଅଫ ମେଡିକାଲ ରିସର୍ଚ୍ଚ ପକ୍ଷରୁ ମାନ୍ୟତା ଦିଆଯାଇଥିଲା। ଚଳିତ ମେ’ ମାସରେ ଏହି କିଟ୍‌ର ବ୍ୟବହାରକୁ ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆ ମଞ୍ଜୁରୀ ଦେଇଛି।

DIPCOVAN କିଟ୍‌ ମାଧ୍ୟମରେ କରୋନା ସଂକ୍ରମିତଙ୍କ ଶରୀରରେ ଆଣ୍ଟିବଡି ଏବଂ ପ୍ଲାଜମା ସମ୍ପର୍କରେ ଜଣାପଡ଼ିବ। କିଟ୍‌ ଭ୍ୟାଲିଡିଟି ୧୮ ମାସ ରହିଛି। ଜୁନ୍‌ ପୂର୍ବରୁ କିଟ୍‌ ଲଞ୍ଚ ହେବ। ପ୍ରଥମ ଚରଣରେ ୧୦୦ କିଟ୍‌ ବଜାରକୁ ଆସିବ। ଏହା ପରେ ପ୍ରତି ମାସ ୫୦୦ କିଟ୍‌ ପ୍ରସ୍ତୁତ କରାଯିବ। ପ୍ରତି ଟେଷ୍ଟକୁ ୭୫ ଟଙ୍କା ଲାଗିବ ବୋଲି ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏତେ ବଡ଼ ଉପଲବ୍ଧି ପାଇଁ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ସପ୍ତାହରେ ଆଇସିଏମଆର କୋଭିସେଲ୍ଫ ନାମକ ଏକ ଟେଷ୍ଟିଂ କିଟ୍‌କୁ ମଞ୍ଜୁରୀ ଦେଇଛି। ଏହି କିଟ୍‌ ମାଧ୍ୟମରେ ଲୋକେ ଘରେ ବସି ନିଜର କରୋନା ଟେଷ୍ଟ କରିପାରି​‌ବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.