ତେଜସକୁ ଆହୁରି ଶକ୍ତିଶାଳୀ କରିବ ମିସାଇଲ ପାଇଥନ-୫, ଶତ୍ରୁ ପାଇଁ ସାଜିବ କାଳ, ପରୀକ୍ଷଣ ସଫଳ

Published By : Prameya-News7 Bureau | April 28, 2021 IST

ବାଙ୍ଗାଲୋର ୨୮।୦୪: ଭାରତର ସ୍ଵଦେଶୀ ନିର୍ମିତ ହାଲୁକା ଲଢୁଆ ବିମାନ ତେଜସ ଆହୁରି ଶକ୍ତିଶାଳୀ ହୋଇଛି। ଏହି ଲଢୁଆ ବିମାନରେ ଆଉ ଏକ ଘାତକ ହତିଆର ଯୋଡି ହୋଇ ଯାଇଛି। ୨୦୨୧ ଏପ୍ରିଲ ୨୭ରେ ଏହି ଯୁଦ୍ଧାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ତେଜସରେ ଆକାଶରୁ ଆକାଶରେ ଲକ୍ଷ୍ୟଭେଦ କରି ପାରୁଥିବା ପଞ୍ଚମ ପିଢିର ପାଇଥନ-୫ କ୍ଷେପଣାସ୍ତ୍ର ଖଞ୍ଜା ଯାଇଛି। ଏହି କ୍ଷେପଣାସ୍ତ୍ର ଶତ୍ରୁର ବିମାନ, ହେଲିକପ୍ଟର ଏବଂ ଡ୍ରୋନକୁ ନିମିଷକେ ମାତ୍ରେ ମାଟିରେ ମିଶାଇ ଦେବ। ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂସ୍ଥାନ(ଡିଆରଡିଓ) ବୁଧବାର ସଫଳ ପରୀକ୍ଷଣର ସୂଚନା ଦେଇଛି।

ଏହି ପରୀକ୍ଷଣ ପରେ ତେଜସରେ ଲାଗିବାକୁ ଥିବା ଡର୍ବି ବିୟଣ୍ଡ ଭିଜୁଆଲ ରେଞ୍ଜ(ବିଭିଆର-ଏଏଏମ) କ୍ଷେପଣାସ୍ତ୍ରର ପଥ ପରିଷ୍କାର ହୋଇଛି। ଏହି ପରୀକ୍ଷଣରେ ପାଇଥନ-୫ ଓ ଡର୍ବି ମିସାଇଲ ଉଭୟର ସଫଳ ପରୀକ୍ଷଣ ଗୋଆରେ କରାଯାଇଛି। ଉଭୟ କ୍ଷେପଣାସ୍ତ୍ର ନିଜ ନିଜର ନିଶାଣକୁ ସଠିକ୍ ଲକ୍ଷ୍ୟଭେଦ କରିଛନ୍ତି। ଏହି ମିସାଇଲର ଉପଯୋଗ ଦୁନିଆ ପ୍ରାୟ ୨୦ ଦେଶର ବାୟୁସେନା କରିଥାନ୍ତି।

wp:html /wp:html

ଏହି ସଫଳ ପରୀକ୍ଷଣ ପୂର୍ବରୁ ତେଜସ ବିମାନରେ କ୍ଷେପଣାସ୍ତ୍ର ଖଞ୍ଜା ଯିବା ପରେ ଅନେକ ଉଡାଣ ଭରିଥିଲା। ଏହି ସମୟରେ ଏଭିଓନିକ୍ସ, ଫାୟର-କଣ୍ଟ୍ରୋଲ ରାଡାର, ଆଣବିକ ଅସ୍ତ୍ର ଶସ୍ତ୍ରର ଯାଞ୍ଚ କରାଯାଇଥିଲା। ଗୋଆରେ ମିସାଇଲକୁ ତେଜସ ବିମାନରେ ଲଞ୍ଚ କରି ଲକ୍ଷ୍ୟଭେଦ କରାଯାଇଥିଲା।

ପାଇଥନ-୫ ମିସାଇଲ୍‌ର ଲାଇଭ୍ ଟାର୍ଗେଟ୍ ଟେଷ୍ଟ କରାଯାଇଛି। ଏହି ମିସାଇଲ୍‌ ଆକାଶରେ ନିଶାଣକୁ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ପାଇଥନ-୫ ମିସାଇଲ୍‌ରେ ଯଦି ଟାର୍ଗେଟ୍ ଥରୁଟିଏ ଲକ୍ ହୋଇଯାଏ ତେବେ ଏହା ବିନା ଧ୍ଵଂସ କରି ଫେରିବ ନାହିଁ। ଏହି କ୍ଷେପଣାସ୍ତ୍ର ସର୍ବପ୍ରଥମେ ଇସ୍ରାଏଲ ଦ୍ଵାରା ନିର୍ମିତ। ପାଇଥନ-୫ର ଲମ୍ବ ୧୦.୧୭ ଫୁଟ୍, ବ୍ୟାସ୍ ୬.୨୯ ଇଞ୍ଚ ଏବଂ ଓଜନ ୧୦୫ କିଲୋଗ୍ରାମ ରହିଛି। ଏଥିରେ ୧୧ କିଲୋଗ୍ରାମର ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଲଗାଯାଇ ପାରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.