2DG ଔଷଧର ପ୍ରୟୋଗ ନେଇ ହସ୍ପିଟାଲମାନଙ୍କୁ ଗାଇଡଲାଇନ ଜାରି କଲେ DRDO

Published By : Prameya-News7 Bureau | June 01, 2021 IST

ନୂଆଦିଲ୍ଲୀ ୧।୬: କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହରରେ ସାରା ଦେଶ ଅସ୍ତବ୍ୟସ୍ତ ହୋଇପଡିଛି। ସଂକ୍ରମଣ ଅନେକାଂଶରେ ହ୍ରାସ ହୋଇଥିଲେ ହେଁ କେସ୍‌ ଲୋଡ କମି ନାହିଁ। ଏଥିରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ)ଙ୍କ ବିକଶିତ ଔଷଧ ଟୁ-ଡିଅକ୍ସି-ଡି-ଗ୍ଲୁକୋଜ ଭାରତରେ ମୃତ୍ୟୁସଞ୍ଜିବନୀ ଭାବେ ଉଭା ହୋଇଛି। କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଗତ ମେ ୧୭ ତାରିଖରେ ଏହି ଔଷଧକୁ ଲୋକାର୍ପିତ କରିଥିବା ବେଳେ ଭାରତ ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶକ (ଡିସିଜିଆଇ) ଜରୁରି ଉପଯୋଗ ଲାଗି ଅନୁମୋଦନ କରିଥିଲେ। ଏହି ଔଷଧ ଏବେ ସରକାରୀ ହସ୍ପିଟାଲ ଓ ପ୍ରତିରକ୍ଷା ବିଭାଗ କୋଭିଡ କେୟାର ସେଣ୍ଟରମାନଙ୍କରେ  ଉପଲବ୍ଧ ହୋଇଛି।

ଏହି ଔଷଧକୁ ରେଡିଜ ଲାବୋରେଟରୀଙ୍କ ସହ ମିସି ଡିଆରଡିଓ ବିକଶିତ କରିଥିବା ବେଳେ କେଉଁ କ୍ଷେତ୍ରରେ ଓ ରୋଗୀଙ୍କଠାରେ କିପରି ଔଷଧର ଉପଯୋଗ ହେବ ସେ ନେଇ  ମଙ୍ଗଳବାର ଗାଇଡଲାଇନ ଜାରି ହୋଇଛି।  ଏହି ଗାଇଡ ଲାଇନ ଅନୁସାରେ ଆକ୍ରାନ୍ତଙ୍କଠାରେ ଏହି ଔଷଧର ପ୍ରୟୋଗ ଲାଗି ଡିଆରଡିଓ ପରାମର୍ଶ ଦେଇଛନ୍ତି। ଦେଶରେ ମଙ୍ଗଳବାରଠାରୁ ଏହି ଔଷଧର ବ୍ୟାବସାୟୀକ ଉତ୍ପାଦନ ଆରମ୍ଭ ହୋଇଛି। ଯାହା ଖୁବ୍ ଶୀଘ୍ର ସବୁ ହସ୍ପିଟାଲ ଓ ମେଡିକାଲ ଷ୍ଟୋରମାନଙ୍କରେ ଉପଲବ୍ଧ ହେବ ବୋଲି କୁହାଯାଇଛି।

wp:embed {"url":"https://twitter.com/DRDO_India/status/1399590764380778496","type":"rich","providerNameSlug":"twitter","responsive":true,"className":""}
https://twitter.com/DRDO_India/status/1399590764380778496
/wp:embed

ଏହି ଔଷଧକୁ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରୋଗୀଙ୍କଠାରେ ପ୍ରୟୋଗ କରିବାକୁ ଡିଆରଡିଓ ପରାମର୍ଶ ଦେଇଛନ୍ତି। ସଂକ୍ରମଣର ପ୍ରଥମରୁ ୧୦ ଦିନରେ ମଧ୍ୟମରୁ ଗୁରୁତର ରୋଗୀଙ୍କୁ ଏହି ଔଷଧ ଦିଆଯାଇପାରିବ। ଏହି ଔଷଧ ସ୍କାଚେଟ୍‌ରେ ମିଳୁଥିବା ବେଳେ ଆକ୍ରାନ୍ତଙ୍କୁ ପାଣିରେ ଗୋଳାଇ ପିଆଇଲେ ସଂକ୍ରମିତ ସୁସ୍ଥତା ଅନୁଭବ କରୁଥିବା ସହ ଶୀଘ୍ର ଆରୋଗ୍ୟ ହୋଇପାରୁଛନ୍ତି ବୋଲି କୁହାଯାଇଛି।

ତେବେ ଏହି ଔଷଧ ୧୮ବର୍ଷରୁ କମ୍‌ ବୟସ୍କ ଓ ସ୍ତନ୍ୟପାନ କରାଉଥିବା ମାମାନଙ୍କଠାରେ ଉପଯୋଗ ନ କରିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଅନିୟନ୍ତ୍ରିତ ଡାୟବେଟିସ୍, ଗୁରୁତର ହୃଦଜନିତ ସମସ୍ୟା, ଶ୍ୱାସପ୍ରଶ୍ୱାସ ଜନିତ ଗୁରୁତର ସମସ୍ୟା (ଏଆରଡିଏସ) ଓ ଗୁରୁତର ଜକୃତ ଓ ବୃକକ ରୋଗୀଙ୍କ ଠାରେ ଏହି ଔଷଧର ପରୀକ୍ଷଣ ହୋଇ ନଥିବାରୁ ସତର୍କତା ଅବଲମ୍ବନ କରିବା ଜରୁରି ବୋଲି ସୂଚିତ କରାଯାଇଛି। ତେବେ କରୋନା ସଂକ୍ରମିତଙ୍କ ଠାରେ ଯଥାଶୀଘ୍ର ଅନୁନ୍ୟ ୧୦ ଦିନ ମଧ୍ୟରେ ଡାକ୍ତର ଏହି ଔଷଧର ପ୍ରୟୋଗ କରିବାକୁ ଡିଆରଡିଓ ସୂଚିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.