ଅତ୍ୟଧିକ ଥଣ୍ଡାକୁ ମାତ୍ ଦେବେ ଭାରତୀୟ ଯବାନ, ଲଦାଖରେ ମୁତୟନ ସୈନିକଙ୍କ ପାଇଁ ଡିଆରଡିଓ ପ୍ରସ୍ତୁତ କଲା 'ହିମ୍ ତପକ୍'

Published By : Prameya-News7 Bureau | January 10, 2021 IST

ନୂଆଦିଲ୍ଲୀ ୧୦।୦୧: ସିଆଚେନ୍‌, ଲଦାଖ ଓ କାଶ୍ମୀରର ସୀମାରେ ଅନେକ ଅଞ୍ଚଳରେ ହାଡଭଙ୍ଗା ଶୀତ ହୋଇଥାଏ। ପ୍ରତି ବର୍ଷ ଏହି ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୨୫ରୁ ବିଯୁକ୍ତ ୫୦ ମଧ୍ୟରେ ରହିଥାଏ। ଏହି ପ୍ରତିକୂଳ ପରିସ୍ଥିତିରେ ସେନା ଦେଶର ସୁରକ୍ଷା ପାଇଁ ମୁତୟନ ଥାଆନ୍ତି। ଏହି ସମୟରେ ଯବାନଙ୍କୁ ଅନେକ ପ୍ରକାରର ମୁସ୍କିଲ ସ୍ଥିତିର ସମ୍ମୁଖୀନ ହେବାକୁ ପଡିଥାଏ। ଏହି ଅଞ୍ଚଳରେ ସେନାକୁ କେବଳ ଶତ୍ରୁ ନୁହେଁ ବରଂ ପ୍ରତିକୂଳ ପାଣିପାଗ ମଧ୍ୟ ସାମ୍ନା କରିବାକୁ ପଡିଥାଏ। ଅନେକ ସମୟରେ ପ୍ରବଳ ଥଣ୍ଡା କାରଣରୁ ଯବାନଙ୍କ ମୃତ୍ୟୁ ମଧ୍ୟ ଘଟିଥାଏ। ଏବେ ଡିଆରଡିଓ ଏହି ସବୁ ଅଞ୍ଚଳରେ ମୁତୟନ ଯବାନଙ୍କ ପାଇଁ ଏକ ନୂତନ ଉତ୍ତପ୍ତ ଯନ୍ତ୍ରାଂଶ(ହିଟିଙ୍ଗ ଡିଭାଇସ୍) ବିକଶିତ କରିଛି।

Defence Institute of Physiology & Allied Sciences (DRDO)ର ନିର୍ଦ୍ଦେଶକ ଡ. ରାଜୀବ ବାଷ୍ଣେୟ କହିଛନ୍ତି ଡିଆରଡିଓ ପୂର୍ବ ଲଦାଖ, ସିଆଚେନ ଓ ଉଚ୍ଚ ଶିଖରରେ ମୁତୟନ ଭାରତୀୟ ସେନା ପାଇଁ ହିମ ତପକ ନାମକ ସ୍ପେସ୍ ହିଟିଙ୍ଗ୍ ଡିଭାଇସ୍‌ ପ୍ରସ୍ତୁତ କରିଛି। ଯଦ୍ଵାରା ଯବାନ ବ୍ୟାକବ୍ଲାଷ୍ଟ ଓ କାର୍ବନ ମୋନୋକ୍ସାଇଡ୍ ମିଶ୍ରଣ କାରଣରୁ ଯେମିତି ଯବାନଙ୍କ ମୃତ୍ୟୁ ନଘଟେ ଏହାକୁ ଦୃଷ୍ଟିରେ ରଖି ଡିଆରଡିଓ ଏହି ଡିଭାଇସ୍ ପ୍ରସ୍ତୁତ କରିଛି।

ସେ କହିଛନ୍ତି, ଭାରତୀୟ ସେନା ଏହି ଉପକରଣର ନିର୍ମାତାଙ୍କୁ ୪୨୦ କୋଟି ଟଙ୍କାର ଅର୍ଡର ଦେଇଛି। ଏହି ଡିଭାଇସ୍‌କୁ ସେନା ଓ ଆଇଟିବିପିର ସମସ୍ତ ନୂତନ ଘରଗୁଡିକରେ ଲଗାଯିବ। ବିଶେଷ କରି ଯେଉଁ ଅଞ୍ଚଳରେ ତାପମାତ୍ରା ବହୁତ କମ ରହିଛି। ସେ କହିଛନ୍ତି ଡିଆରଡିଓ ଅଲୋକଲ କ୍ରିମ ମଧ୍ୟ ବିକଶିତ କରିଛି, ଯାହା ଅତ୍ୟଧିକ ଥଣ୍ଡା କ୍ଷେତ୍ରରେ ସୈନିକଙ୍କୁ ଲାଗୁଥିବା ଆଘାତକୁ ରୋକିବାରେ ବେଶ ସହାୟକ ହେବ। ପ୍ରତି ବର୍ଷ ଭାରତୀୟ ସେନା ପୂର୍ବ ଲଦାଖ, ସିଆଚେନ୍‌ ଓ ଅନ୍ୟ କ୍ଷେତ୍ରରେ ସୈନିକଙ୍କ ପାଇଁ ଏହି କ୍ରିମ୍‌ର ୩ ରୁ ୩.୫ ଲକ୍ଷ ଜାର ଅର୍ଡର ଦେଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.