୫ ଦିନରେ ୫୦୦ ବେଡ୍‌ ବିଶିଷ୍ଟ ହସ୍ପିଟାଲ୍‌ ତିଆରି କଲା DRDO, ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | April 19, 2021 IST

ନୂଆଦିଲ୍ଲୀ ୧୯/୨: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଶହ ଶହ ଜୀବନ ମଧ୍ୟ ନେଉଛି କରୋନା। ଦିଲ୍ଲୀରେ ପରସ୍ଥିତି ଭୟଙ୍କର ହୋଇଥିବା ବେଳେ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ବେଡ୍‌ ମିଳୁନାହିଁ। ଆଇସିୟୁ ବେଡ୍‌ ଭର୍ତ୍ତି ହୋଇଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀ ସରକାର କେନ୍ଦ୍ରକୁ ସହାୟତା ପାଇଁ ଅନୁରୋଧ କରିଛନ୍ତି। ଏହାରି ଭିତରେ ଦିଲ୍ଲୀ ଏୟାରପୋର୍ଟ ନିକଟରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ୫ ଦିନରେ ୫୦୦ ବେଡ୍‌ ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିଛି।

ଏହି ହସ୍ପିଟାଲର ପରିଦର୍ଶନ କରିଛନ୍ତି ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆ  । ସୋମବାର ମନୀଷ ସିସୋଡ଼ିଆ ସେଠାରେ ପହଞ୍ଚିଥିବା ବେଳେ କେବଳ ୫ ଦିନରେ ସମସ୍ତ ସୁବିଧା ସହ କୋଭିଡ ହସ୍ପିଟାଲ ନିର୍ମାଣ ପାଇଁ ଡିଆରଡିଓକୁ ଧନ୍ୟବାଦ ଜଣାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ପାଖରୁ ଏଠାରେ ଗୁରୁତର ରୋଗୀମାନଙ୍କ ପାଇଁ ୨୫୦ ଆଇସିୟୁ ବେଡ୍‌ ଉପଲବ୍ଧ ହେବ। ଆଗାମୀ ୪-୫ ଦିନରେ ଆହୁରି ୨୫୦ ବେଡ୍‌ କାର୍ଯ୍ୟକ୍ଷମ ହୋଇଯିବ।

ରବିବାର ଜଣେ ଡିଆରଡିଓ ଅଧିକାରୀ କହିଥିଲେ ଏହି ହସ୍ପିଟାଲକୁ କେନ୍ଦ୍ରର ଜିମା ଦିଆଯାଇଛି। ସେମାବାର ଅର୍ଥାତ ଆଜିଠୁ ଏଠାରେ ରୋଗୀଙ୍କୁ ଆଡମିଟ୍‌ କରାଯାଉଛି। କିଛି ଦିନ ପର୍ଯ୍ୟନ୍ତ ଏଠାରେ ୨୫୦ ବେଡ୍‌ ବ୍ୟବସ୍ଥା ରହିବ। ଏହା ପରେ ୫୦୦ ବେଡ୍‌ ରୋଗୀଙ୍କ ପାଇଁ ଉପଲବ୍ଧ ହୋଇପାରିବ ବୋଲି ଜଣାପଡ଼ିଛି। ଔଷଧ ପାଇଁ ଏଠାରେ ସମସ୍ତ ବ୍ୟବସ୍ଥା କରାଯାଇଛି। କିନ୍ତୁ ଜରୁରୀ ଔଷଧ ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ଆଲୋଚନା କରି ସଠିକ୍‌ ପଦକ୍ଷେପ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.