କ୍ଵାଡ୍ ବୈଠକକୁ ନେଇ ବ୍ୟସ୍ତ ବିବ୍ରତ ଡ୍ରାଗନ, କହିଲା- ଚୀନକୁ ଟାର୍ଗେଟ୍ କରାନଯାଉ

Published By : Prameya-News7 Bureau | September 14, 2021 IST

ନୂଆଦିଲ୍ଲୀ ୧୪।୦୯: ସେପ୍ଟେମ୍ବର ୨୪ରେ ଓ୍ଵାଶିଂଟନରେ ଏକାଠି ହେଉଛନ୍ତି କ୍ଵାଡ୍ ଦେଶ। କ୍ଵାଡ୍ ଦେଶ ପ୍ରଥମ ଥର ସାମ୍ନାସାମ୍ନି ସାକ୍ଷାତ କରିବାକୁ ଯାଉଛନ୍ତି। ସେପଟେ କ୍ଵାଡ ମିଟିଂକୁ ନେଇ ବାଉଳେଇ ହେଲାଣି ଚୀନ। କ୍ଷେତ୍ରୀୟ ସହଯୋଗକୁ ଦୃଷ୍ଟିରେ ରଖି ଗଠନ ହୋଇଥିବା ଗ୍ରୁପକୁ କୌଣସି ତୃତୀୟ ପକ୍ଷ ଉଦ୍ଦେଶ୍ୟରେ ବ୍ୟବହାର କରିବା ଉଚିତ୍ ନୁହେଁ ବୋଲି କହିଛି ଚୀନ। କାହାରି ହିତକୁ କ୍ଷତି ପହଞ୍ଚାଇବା ଠିକ୍ ନୁହେଁ। କ୍ଵାଡ ଗ୍ରୁପ୍ କେବେ ବି ଲୋକ ପ୍ରିୟ ହୋଇ ପାରିବ ନାହିଁ ଏବଂ ଏହାର କୌଣସି ଭବିଷ୍ୟତ ନାହିଁ ବୋଲି କହିଛନ୍ତି ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିୟାନ।

ସୂଚନାଯୋଗ୍ୟ, ୨୦୨୧ ମାର୍ଚ୍ଚରେ କ୍ଵାଡ ଦେଶ ଭର୍ଚୁଆଲି ପରସ୍ପରକୁ ଭେଟିଥିଲେ। ଏହା ପରଠୁ କ୍ଵାଡ ଦେଶର ଏହା ହେଉଛି ପ୍ରଥମ ବୈଠକ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ନିଜର ବିବୃତିରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଵାଡ ବୈଠକରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍  ମରିସନ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ। ଚଳିତ ବର୍ଷ ମାର୍ଚ୍ଚ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ କେତେ ପ୍ରଗତି ଘଟିଛି ଏହି  ବୈଠକରେ ସମୀକ୍ଷା କରାଯିବ।

ବୈଠକରେ କ୍ଷେତ୍ରୀୟ ଅଖଣ୍ଡତା ଏବଂ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। କରୋନା ମହାମାରୀ, କରୋନା ଭ୍ୟାକ୍ସିନ, ଯୋଗାଯୋଗ ଓ ଭିତ୍ତିଭୂମି, ସାଇବର ସୁରକ୍ଷା, ମାନବୀୟ ସହାୟତା, ବିପର୍ଯ୍ୟୟ ପ୍ରବନ୍ଧନ, ଜଳବାୟୁ ପରିବର୍ତ୍ତନ ଆଦି ଉପରେ ମଧ୍ୟ ଆଲୋଚନା ହେବ। ଏଥିସହ ପ୍ରଶାନ୍ତ ମହାସାଗରରେ ଅବାଧ ଏବଂ ମୁକ୍ତ ପରିବହନ ଓ ସୁରକ୍ଷା ଉପରେ ମଧ୍ୟ ଆଲୋଚନା ହେବ। ଏହା ବାଦ୍ ଆଫଗାନିସ୍ତାନର ବଦଳୁଥିବା ଘଟଣାକ୍ରମ ଉପରେ ମଧ୍ୟ ସ୍ଵତନ୍ତ୍ର ଆଲୋଚନା ହେବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ, କ୍ଵାଡ୍ ନେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.