ପାକିସ୍ତାନକୁ ଚୀନର ରୋକ୍‌ ଠୋକ୍- ଆତଙ୍କବାଦୀଙ୍କୁ ଯଦି ମାରି ପାରୁନ, ତେବେ ଆମର ସୈନିକ-ମିସାଇଲ ପ୍ରସ୍ତୁତ

Published By : Prameya-News7 Bureau | July 16, 2021 IST

ନୂଆଦିଲ୍ଲୀ ୧୬।୦୭:  ନିଜ ନାଗରିକଙ୍କ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ଘଟିବା ପରେ ଔଷଧ ବିକଳରେ ତାଟିଆ କାମୁଡୁଛି ଚୀନ। ଓଡିଆରେ ଲୋକକଥା ଅଛି ଯେ ପର୍ଯ୍ୟନ୍ତ ନିଜର ମୃତ୍ୟୁ ଘଟିନି ସେ ପର୍ଯ୍ୟନ୍ତ ଯମର ଦର୍ଶନ ହୋଇନି। ସର୍ବଦା ଆତଙ୍କୀ ପାକିସ୍ତାନକୁ ସମର୍ଥନ କରିଆସୁଥିବା ଚୀନ ଏବେ ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନର ଭାଷା କହୁଛି। ନିଜ ନାଗରିଙ୍କ ମୃତ୍ୟୁରେ ଡ୍ରାଗନ ନିଜର ପରମ ମିତ୍ର ପାକିସ୍ତାନ ପ୍ରତି କ୍ଷୁବ୍ଧ ହୋଇ ଉଠିଛି। ଗ୍ୟାସ୍ ଲିକ୍‌ କାରଣରୁ ବସରେ ବିସ୍ଫୋରଣ ଘଟିଥିବା ପାକିସ୍ତାନ କାରଣ ଦର୍ଶାଇ ସାରିଛି। ହେଲେ ଉତକ୍ଷୀପ୍ତ ଚୀନ ପାକିସ୍ତାନକୁ ରୋକ ଠୋକ୍‌ ଶବ୍ଦରେ କହିଛି ଯେ, ଯଦି ଆତଙ୍କବାଦୀର ମୁକାବିଲା କରି ପାରୁନ ତେବେ ଚୀନ ସୈନିକଙ୍କୁ ନଜର ମିସାଇଲ ସହ ମିଶନରେ ପଠାଯିବ। ଏହା ପୂର୍ବରୁ ଚୀନ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ସବୁ ସ୍ତରରେ ବଞ୍ଚାଇ ଆସିଛି। ମିଳିତ ଜାତିସଂଘରେ ମସୁଦ ଅଜହରକୁ ବିଶ୍ଵ ଆତଙ୍କୀ ଘୋଷିତ କରିବା ଭାରତର ଉଦ୍ୟମରେ ଚୀନ ବାଧକ ସାଜି ଆସିଛି।

ଚୀନ ସରକାରର ମୁଖପତ୍ର ଗ୍ଲୋବାଲ ଟାଇମ୍ସର ସଂପାଦକ ଟ୍ଵିଟ୍ କରିଛନ୍ତି, ଏହି ଆକ୍ରମଣରେ ସାମିଲ କାପୁରୁଷ ଆତଙ୍କବାଦୀ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସି ନାହାନ୍ତି। କିନ୍ତୁ ସେମାନଙ୍କୁ ନିଶ୍ଚୟ ଖୋଜି ବାହାର କରି ସମୂଳେ ନିପାତ କରାଯିବା ଉଚିତ୍। ଯଦି ପାକିସ୍ତାନର ପର୍ଯ୍ୟାପ୍ତ କ୍ଷମତା ନାହିଁ, ତେବେ ଚୀନର ସୈନିକ ଓ ମିସାଇଲକୁ ନିୟୋଜିତ କରାଯାଇ ପାରିବ। ନିଜ ନାଗରିକଙ୍କ ପ୍ରାଣହାନୀ ଘଟିବା ପରେ ଏବେ ଚୀନ ପାକିସ୍ତାନରେ ଆତଙ୍କବାଦୀ ଥିବା କଥା ମନେ ପଡୁଛି। ପାକିସ୍ତାନର ଉତ୍ତର ପଶ୍ଚିମ ଇଲାକାରେ ଆତଙ୍କବାଦୀ ଚୀନ ନାଗରିକ ନେଇ ଯାଉଥିବା ବସକୁ ବିସ୍ଫୋରଣରେ ଉଡାଇ ଦେଇଥିଲେ। ଏଥିରେ ୯ ଜଣ ଚୀନ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୬ ଜଣ ଚୀନୀ ଇଞ୍ଜିନିୟର ସାମିଲ ଥିଲେ।

କିନ୍ତୁ ଇସଲାମାବାଦ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଅସ୍ଵୀକାର କରି ଗ୍ୟାସ୍ ଲିକ୍ କାରଣରୁ ଏହି ବିସ୍ଫୋରଣ ଘଟିଥିବା କହିଥିଲା। ହେଲେ ଚୀନକୁ ପାକିସ୍ତାନର କଥା ବିଶ୍ଵାସ ହେଉନାହିଁ। ତେଣୁ  ନିଜର ଯାଞ୍ଚ ଟିମ୍ ପଠାଇବ ବୋଲି ଚୀନ କହୁଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶୁକ୍ରବାର ନିଜର ଚୀନ ପ୍ରତିପକ୍ଷ ଲି କଚିୟାଙ୍ଗଙ୍କୁ ଆଶ୍ଵାସନା ଦେଇଛନ୍ତି ଯେ, ବସ୍ ବିସ୍ଫୋରଣ ଘଟଣାର ତଦନ୍ତରେ କୌଣସି ହେଳା କରାଯିବ ନାହିଁ।

ସୂଚନାଯୋଗ୍ୟ, ଚୀନର ଇଞ୍ଜିନିୟର ଓ ଶ୍ରମିକଙ୍କୁ ଧରି ନିର୍ମାଣଧୀନ ଦାସୁ ଡ୍ୟାମ୍‌ ଯାଉଥିବା ବସ୍‌ ବିସ୍ଫୋରଣ ହେବାରୁ ୯ ଜଣ ଚୀନ ନାଗରିକଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୯ ଜଣ ଆହତ ହୋଇଛନ୍ତି। ଇମ୍ରାନ କହିଛନ୍ତି, ପାକିସ୍ତାନ ଓ ଚୀନ ମଧ୍ୟରେ ସୌହାର୍ଦ୍ଦାପୂର୍ଣ୍ଣ ସଂପର୍କକୁ କ୍ଷତି ପହଞ୍ଚାଇବାକୁ ଦିଆଯାଇ ପାରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.