ଆଖି ଡୋଳାରେ ଟାଟୁ ହେଲା କାଳ: ଅନ୍ଧ ହୋଇଗଲେ ଡ୍ରାଗନ୍ ଗାର୍ଲ୍, ଦେଖନ୍ତୁ କଳା ଡୋଳା କିପରି ହୋଇଗଲା ନୀଳ
25/04/2020 at 9:36 PM

ସିଡନୀ, ୨୫|୦୪: ସମସ୍ତଙ୍କର କିଛି ନା କିଛି ନୂଆ କରିବା ପାଇଁ ଇଚ୍ଛା ରହିଥାଏ । କୌଣସି ନା କୌଣସି କାରଣ ପାଇଁ କିଛି ବ୍ୟକ୍ତି ଚର୍ଚ୍ଚାରେ ରହିଥାନ୍ତି । ସେହିପରି ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ଓ୍ୱେଲସରେ ରହୁଥିବା ୨୫ ବର୍ଷୀୟା ଆମ୍ବର୍ ଲ୍ୟୁକ୍ ଟାଟୁ କରି ଚର୍ଚ୍ଚାରେ ରହିଛନ୍ତି । ସେ ନିଜ ଶରୀରରେ ୨୦୦ରୁ ଅଧିକ ଟାଟୁ କରିଛନ୍ତି । ଏଥିପାଇଁ ତାଙ୍କୁ ଡ୍ରାଗନ୍ ଗାର୍ଲ୍ ବୋଲି ମଧ୍ୟ କୁହାଯାଏ । କିନ୍ତୁ ଏହି ଟାଟୁ ତାଙ୍କ ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରିଥିଲା ।

ଆମ୍ବର୍ ନିଜ ଆଖିକୁ ନୀଳ ରଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏହା କରିବା ବେଳେ ସେ ଅନ୍ଧ ହୋଇଯାଇଥିଲେ । ଏବେ ସୁଦ୍ଧା ସେ ଟାଟୁ କରିବା ପାଇଁ ୨୬ ହଜାର ଡଲାର ବା ୧୮.୩୭ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ଏହାକୁ ନେଇ ସେ କହିଛନ୍ତି ଯେ, ଆଖିରେ ଟାଟୁ କରିବା ବେଳେ ବହୁତ କଷ୍ଟ ହୋଇଥିଲା । ଏହା କରିବାକୁ ୪୦ ମିନିଟ୍ ଲାଗିଥିଲା । ଏହାପରେ ସେ ୩ ସପ୍ତାହ ପାଇଁ ଅନ୍ଧ ହୋଇଯାଇଥିଲେ ।ଏହି ଅନୁଭବକୁ ଶବ୍ଦରେ ବୟାନ କରିବା ସମ୍ଭବପର ନୁହେଁ । ଆଖିରେ ୧୦ଟି କାଚ ଖମ୍ଡ ପସିଲା ଭଳି ତାଙ୍କୁ ଲାଗିଥିଲା । ଏହି ପ୍ରକ୍ରିୟାରେ କିଛି ଭୁଲ ଥିଲେ ସେ ସବୁଦିନ ପାଇଁ ଅନ୍ଧ ହୋଇଯାଇଥାନ୍ତେ ।

ସେ ଆହୁରି କହିଛନ୍ତି ଯେ, ୨୦୨୦ରେ ସେ ନିଜ ସମସ୍ତ ଶରୀରକୁ ଟାଟୁରେ ଆଚ୍ଛାଦିତ କରିବାକୁ ଚାହୁଁଛନ୍ତି ।ସେ ସର୍ଜରୀ କରି ନିଜ ଓଠ ଓ ଅନେକ ଅଙ୍ଗକୁ ଟ୍ରାନ୍ସଫର୍ମେସନ କରିଛନ୍ତି । ଏବେ ସେ ନିଜ ଶରୀରରେ କୌଣସି ମୋଡିଫିକେସନ କରିବାକୁ ଚାହୁଁ ନାହାଁନ୍ତି । ଏବେ ସେ ଟାଟୁ ପୂର୍ବର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ନୀଳ ରଙ୍ଗର ଡୋଳ ହେବା ପୂର୍ବର ଫଟୋ ରହିଛି ।
