ନିଜର ଅସଲ ରଙ୍ଗ ଦେଖାଇଲା ଡ୍ରାଗନ, ଚୁକ୍ତି ଉଲ୍ଲଂଘନ କରି ପୁଣି ଥରେ ଏଲଏସିରେ ବଢାଇଲା ସୈନ୍ୟ ସଂଖ୍ୟା

Published By : Prameya-News7 Bureau | January 24, 2021 IST

ନୂଆଦିଲ୍ଲୀ ୨୪।୦୧: ଭାରତ ଓ ଚୀନ ମଧ୍ୟରେ ଜାରି ଉତ୍ତେଜନା ରୋକିବା ଏବଂ ଦୁଇ ଦେଶ ମଧ୍ୟରେ ବିଶ୍ଵାସ ଓ ଭରସା ବଢାଇବା ପାଇଁ ପିପୁଲ୍ସ ଲିବେରେସନ ଆର୍ମି ୨୦୨୦ ସେପ୍ଟେମ୍ବରରେ ଏକ ଚୁକ୍ତି କରିଥିଲେ। ହେଲେ ଚୀନ ଖୋଦ୍‌ ଏହି ଚୁକ୍ତିକୁ ଲୁଚାଛପା ଭାଙ୍ଗିବାରେ ଲାଗିଛି। ଚୀନ ସେନା ପୂର୍ବ ଲଦାଖରେ ନିଜର ସ୍ଥିତିକୁ ପୁଣି ଥରେ ମଜବୁତ କରି ନେଇଛି। ଏହା ବ୍ୟତୀତ ଚୀନ ସେନା ଗୋପନୀୟ ଭାବେ ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି) ନିକଟ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ସୈନ୍ୟ ଠୁଳ କରିଛି। ଚାରି ମାସ ପୂର୍ବେ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଥିଲା। ଏଥିରେ କୁହାଯାଇଥିଲା ଯେ ଉତ୍ତେଜନା ବିଶିଷ୍ଟ  ସ୍ଥାନରେ ଉଭୟ ଦେଶର ସୈନ୍ୟ ମୁତୟନ ହେବେ ନାହିଁ।

ସଦ୍ୟତମ ଯାଞ୍ଚରୁ ଏହାର ଖୁଲାସା  ହୋଇଛି ଯେ, ଚୀନ ସେନା ୨୦୨୦ ସେପ୍ଟେମ୍ବର ୨୧ରେ ଷଷ୍ଠ ରାଉଣ୍ଡ ଆଲୋଚନା ପରେ ଯେଉଁ ଯୁଗ୍ମ ବୟାନ ଜାରି କରିଥିଲା, ଏଥିରୁ ଏବେ ଡ୍ରାଗନ ଓହରି ଯାଇଛି। କେବଳ ଏତିକି ନୁହେଁ ଏଲଏସିରେ ନିଜର ସ୍ଥିତି ମଜବୁତ ପାଇଁ ଅନେକ ପ୍ରୟାସ କରିଛି।

ଚାରି ମାସ ପରେ ପୁଣି ଥରେ ଏଲଏସିରେ ପୂର୍ବଭଳି ସ୍ଥିତି ଉପୁଜିଛି। ଦୁଇ ଦେଶ ମଧ୍ୟରେ ବିଶ୍ଵାସଭାଜନ ପାଇଁ ଯେଉଁ ସନ୍ଧି ହୋଇଥିଲା ଏବେ ତାହା ସଂପୂର୍ଣ୍ଣ ନିରର୍ଥକ ହୋଇ ଯାଇଛି। ଶୀର୍ଷ ସେନା ସୂତ୍ର ଅନୁଯାୟୀ, ଭାରତୀୟ ସେନା ପାଖରେ ମଧ୍ୟ ଅନ୍ୟ କୌଣସି ଦ୍ଵିତୀୟ ବିକଳ୍ପ ନଥିଲା। ଏଥିପାଇଁ ସମସ୍ତ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଭାରତୀୟ ସୈନିକଙ୍କୁ ଠୁଳ କରାଯାଇଛି। କିଛି ସେକ୍ଟରରେ ଚୀନର ବଢୁଥିବା ଗତିବିଧିକୁ ଦେଖି ଭାରତ ସତର୍କତାମୂଳକ ସୁରକ୍ଷାତ୍ମକ ପଦକ୍ଷେପ ଉଠାଇଛି।

ଲଦାଖ ଘାଟିରେ ତାମପାତ୍ରା ଶୂନ୍ୟରୁ ବିଯୁକ୍ତ ୩୦ ଡିଗ୍ରୀ ପର୍ଯ୍ୟନ୍ତ ଖସି ଯାଇଛି। ହେଲେ ଦୁଇ ଦେଶର ସୈନିକ ସଂଖ୍ୟାରେ କୌଣସି ହ୍ରାସ ଘଟିନାହିଁ। ପ୍ରବଳ ଥଣ୍ଡା କାରଣରୁ ସୀମା ଶାନ୍ତ ରହିଛି, ହେଲେ ଉତ୍ତେଜନା ଏବେ ମଧ୍ୟ ଜାରି ରହିଛି।

ଉଲ୍ଲେଖଯୋଗ୍ୟ, ଭାରତ ଓ ଚୀନ ମଧ୍ୟରେ ଗତ ନଅ ମାସ ହେବ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ଉଭୟ ପଟେ ପୂର୍ବ ଲଦାଖରେ ସେନା ଓ ଯୁଦ୍ଧାସ୍ତ୍ର ବିପୁଳ ମାତ୍ରାରେ ଠୁଳ କରାଯାଇଛି। ଭାରତ ଅର୍ଟିଲାରୀଗନ, ଟ୍ୟାଙ୍କ, ଟ୍ୟାଙ୍କ ସୀମାରେ ମୁତୟନ କରି ରଖିଛି। ଦୁଇ ଦେଶ ମଧ୍ୟରେ ଆଠ ରାଉଣ୍ଡ ଆଲୋଚନା ହୋଇ ସାରିଛି, ହେଲେ ଲଦାଖରେ ଗତିରୋଧର ସମାଧାନ ହୋଇ ପାରୁ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.