ସ୍ତନ କର୍କଟ ରୋଗକୁ ନେଇ ମହିଳାମାନେ ସଙ୍କୋଚ କରିବା ଅନୁଚିତ୍ : ଡାକ୍ତର ପ୍ରିୟା ନାୟକ

Published By : Prameya-News7 Bureau | January 04, 2019 IST

ଭୁବନେଶ୍ବର ୪|୧: କ୍ୟାନସର ଭଳି ଦୁଃସାଧ୍ୟ ରୋଗ ଦ୍ରୁତ ମାତ୍ରାରେ ବଢ଼ିବାରେ ଲାଗିଛି । ବିଶେଷ କରି ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ଅର୍ଥାତ୍ ବ୍ରେଷ୍ଟ କ୍ୟାନ୍‌ସର ଭଳି ବ୍ୟାଧି ବେଶୀ ମାତ୍ରାରେ ମାଡିଚାଲିଛି । ତେବେ ଏଭଳି ରୋଗକୁ ପ୍ରତିରୋଧ କରିବା ପାଇଁ ମହିଳାମାନଙ୍କ କ୍ଷେତ୍ରରେ ବିଶେଷ ଉଦ୍ୟମ ଦେଖାଯାଏ ନାହିଁ । କାରଣ ଅନେକ କ୍ଷେତ୍ରରେ ସଙ୍କୋଚ ଯୋଗୁଁ ପୁରୁଷ ଡାକ୍ତରଙ୍କୁ ସ୍ତନଜନିତ କୌଣସି ପ୍ରକାର ସମସ୍ୟା ସୃଷ୍ଟି ହେଲେ ଚିକିତ୍ସା କରାଇବା ପାଇଁ ମହିଳାମାନେ କୁଣ୍ଠାବୋଧ କରିଥାନ୍ତି । ଏଭଳି କ୍ଷେତ୍ରରେ ମହିଳା ଡାକ୍ତର ଅର୍ଥାତ୍ ଫିମେଲ୍ ଅଙ୍କୋଲୋଜିଷ୍ଟଙ୍କର ଅନେକ ଆବଶ୍ୟକତା ରହିଛି । ତେବେ ଆମ ଓଡ଼ିଶାରେ ମାତ୍ର ଅଳ୍ପ ସଂଖ୍ୟାରେ ଫିମେଲ୍ ଅଙ୍କୋଲୋଜିଷ୍ଟ ଅଛନ୍ତି ଯେଉଁମାନଙ୍କ ପାଖକୁ ମହିଳାମାନେ ବିନା ସଙ୍କୋଚରେ ଯାଇ ଚିକିତ୍ସା କରାଇପାରିବେ ।

ଏଭଳି ଜଣେ ମହିଳା ଡାକ୍ତର ଅଥବା ଫିମେଲ୍ ଅଙ୍କୋଲୋଜିଷ୍ଟ ହେଉଛନ୍ତି ଡାକ୍ତର ପ୍ରିୟା ପି. ନାୟକ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଫିମେଲ୍ ମେଡିକାଲ୍ ଅଙ୍କୋଲୋଜିଷ୍ଟ ଭାବେ ଯୋଗ ଦେଇଛନ୍ତି ଡାକ୍ତର ପ୍ରିୟା ପି. ନାୟକ । ମହିଳାମାନେ କିଭଳି ବ୍ରେଷ୍ଟ କ୍ୟାନ୍‌ସରରୁ ବର୍ତିପାରିବେ ସେ ନେଇ ସମ୍ ହସ୍ପିଟାଲରେ ଅନେକ ଉଦ୍ୟମ ଆରମ୍ଭ କରିଛନ୍ତି ଡାକ୍ତର ପ୍ରିୟା ପି. ନାୟକ ।

ଡାକ୍ତର ପ୍ରିୟାଙ୍କ ମତରେ ୪୦ ବର୍ଷ ପରେ ମହିଳାମାନଙ୍କ କ୍ଷେତ୍ରରେ ବ୍ରେଷ୍ଟ କ୍ୟାନ୍‌ସର ହେବାର ସମ୍ଭାବନା ଅଧିକ ରହିଛି । ସେହିପରି ମାସିକ ଋତୁସ୍ରାବରେ ଅନିୟମିତତା, କୌଣସି ସନ୍ତାନସନ୍ତତି ନ ହେବା କିମ୍ବା ୩୦ ବର୍ଷ ପରେ ଗର୍ଭବତୀ ହେବା କ୍ଷେତ୍ରରେ ବ୍ରେଷ୍ଟ କ୍ୟାନ୍‌ସର ହେବାର ଅଧିକ ସମ୍ଭାବନା ରହିଛି । ସେହିପରି ଅଧିକ ଓରାଲ୍ କନ୍ଟ୍ରାସେପ୍ଟିଭ୍ ପିଲ୍ସ ବ୍ୟବହାର କରିବା, ଅତ୍ୟଧିକ ମଦ୍ୟପାନ କରିବା, ଧୁମ୍ରପାନ କରିବା କିମ୍ବା ମେଦବହୁଳତା ଯୋଗୁଁ ସ୍ତନ କର୍କଟ ହେବାର ସମ୍ଭାବନା ରହିଛି ।

ଡାକ୍ତର ନାୟକଙ୍କ କହିବାନୁଯାୟୀ ମହିଳାମାନେ ସଙ୍କୋଚ ନ କରି ଠିକ୍ ସମୟରେ ନିଜ ବ୍ରେଷ୍ଟର ସ୍କ୍ରିନିଂ, ମାମୋଗ୍ରାଫି, ସେଲ୍ଫ ବ୍ରେଷ୍ଟ ଏକ୍ଜାମିନେସନ୍, କ୍ଲିନିକାଲ୍ ବ୍ରେଷ୍ଟ ଏକ୍ଜାମିନେସନ୍ କରାଇବା ଉଚିତ୍ । ପ୍ରତ୍ୟେକ ବର୍ଷ କ୍ଲିନିକାଲ୍ ବ୍ରେଷ୍ଟ ଏକ୍ଜାମିନେସନ୍ ଡାକ୍ତରଙ୍କ ନିକଟରେ କରାଇବା ଉଚିତ୍ । ସେହିପରି ୪୦ ବର୍ଷ ପରେ ପ୍ରତ୍ୟେକ ବର୍ଷ ମାମୋଗ୍ରାମ୍ ମଧ୍ୟ କରାଇ ନେବା ଉଚିତ୍ ।

ସେହିପରି ବ୍ରେଷ୍ଟ କ୍ୟାନ୍‌ସର ଚିହ୍ନଟ ହେଲେ ଅପରେସନ୍ , କେମୋ ଥେରାପି, ହର୍ମୋନାଲ୍ ଥେରାପି, ଟାର୍ଗେଟେଡ୍ ଥେରାପି ଏବଂ ରେଡିଏସନ୍ ଥେରାପି ମାଧ୍ୟମରେ ଚିକିତ୍ସା କରାଯାଇପାରିବ । ବ୍ରେଷ୍ଟ କ୍ୟାନ୍‌ସର ସ୍କିନ୍, ବୋନ୍ସ, ଲଙ୍ଗ୍, ବ୍ରେନ୍, ଲିଭରକୁ ମଧ୍ୟ ବ୍ୟାପି ଥାଏ । ତେବେ ଠିକ୍ ସମୟରେ ରୋଗ ଚିହ୍ନଟ ହେଲେ ଏବଂ ଏହାର ଚିକିତ୍ସା କରାଗଲେ ରୋଗୀର ଏହି ରୋଗରୁ ବର୍ତିବାର ସମ୍ଭାବନା ଯଥେଷ୍ଟ ଅଛି ବୋଲି ଡାକ୍ତର ନାୟକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.