ଇ-ଏଜେଣ୍ଡା : ୧୭ ପରେ ବଢିବ ଲକ୍ ଡାଉନ୍ ! କ'ଣ କହୁଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ?

Published By : Prameya-News7 Bureau | May 15, 2020 IST

ନୂଆଦିଲ୍ଲୀ ୧୫/୦୫ : ବିଶ୍ୱ ମହାମାରୀ କରୋନା ଯୋଗୁଁ ଦେଶରେ ଦୁଇଥର ଲକ ଡାଉନ ଅବଧି ବଢ଼ାଇ ଦିଆଯାଇଛି | ତଥାପି କରୋନା ପଜିଟିଭ ସଂଖ୍ୟାରେ ବ୍ରେକ ଲାଗୁନି | କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି | ସଂକ୍ରମଣ ରୋକିବାକୁ ବର୍ତ୍ତମାନ ଦେଶରେ ତୃତୀୟ ପର୍ଯ୍ୟାୟ ଲକ ଡାଉନ ଜାରି ରହିଛି | ତୃତୀୟ ପର୍ଯ୍ୟାୟ ଲକଡାଉନ ମେ ୧୭ ତାରିଖରେ ଶେଷ ହେବାକୁ ଯାଉଛି | ୧୭ ତାରିଖ ଲକ ଡାଉନ ଅବଧି ବଢାଇବା ଉଚିତ ନା ନାହିଁ ସେ ନେଇ ସରକାର ଚିନ୍ତା କରୁଛନ୍ତି | ଇ-ଏଜେଣ୍ଡାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଲକଡାଉନ ସମ୍ବନ୍ଧରେ ସୂଚନା ଦେଇଛନ୍ତି | ଡ.ହର୍ଷବର୍ଦ୍ଧନ କହିଛନ୍ତି ଯେ, କରୋନା ଭାଇରସ ଯୋଗୁଁ ଲକଡାଉନ ଆଗକୁ ଜାରି ରହିବ ନା ନାହିଁ ସେ ନେଇ ଅନେକ ଦେଖି ନିଷ୍ପଟି ନିଆଯିବ | ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ସହ ଲଗାତାର ଭିଡିଓ କନଫରେନସିଂ ଜରିଆରେ କଥାବାର୍ତ୍ତା କରୁଛନ୍ତି | ମୁଖ୍ୟମନ୍ତ୍ରୀ ବିଶ୍ଳେଷଣ କରି ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ପ୍ରାଦନ କରିବା ପରେ ପ୍ରଧାନମନ୍ତ୍ରୀ ଲକଡାଉନ ସମ୍ପର୍କରେ ଏକ୍ସପର୍ଟଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ | 

ଏକ୍ସପର୍ଟଙ୍କ ରାୟ ନେବାପରେ ଲକଡାଉନ ଆଗକୁ ବଢାଇବା ଦରକାର ନା ନାହିଁ ତାହା ନିଷ୍ପତ୍ତି ନିଆଯିବ | କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଦେଶର ୧୩୫ କୋଟି ଜନତାଙ୍କ ହିତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଥାନ୍ତି | ଲକଡାଉନ ଅବଧି ବଢିବ ନା ନାହିଁ ସେ ନେଇ ୧୬ ତାରିଖରେ ନିଷ୍ପତ୍ତି ନିଆଯିବ | ତେବେ ଲକଡାଉନକୁ ଧୀରେ ଧୀରେ ହଟାଇବା ପାଇଁ ଡ.ହର୍ଷବର୍ଦ୍ଧନ ପରାମର୍ଶ ଦେଇଛନ୍ତି |

ବର୍ତ୍ତମାନ ସୁଦ୍ଧା କରୋନାରେ ଦେଶରେ ପାଖାପାଖି ୮୧ ହଜାର ଲୋକ ଆକ୍ରାନ୍ତ ହୋଇସାରିଛନ୍ତି | ତାଜା ସୂଚନା ଅନୁଯାୟୀ, ଏଯାଏଁ ଦେଶରେ ୨ ହଜାର ୬୪୯ ଜଣଙ୍କ ମୃତ୍ୟୁ ହୋଇସାରିଛି | ଅପରପକ୍ଷରେ ୨୭ ହଜାର ୯୧୯ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୯୬୭ ନୂଆ ମାମଲା ସାମ୍ନାକୁ ଆସିଛି | ୨୪ ଘଣ୍ଟା ମଧ୍ୟରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.