ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ 'ଓଡିଶା ଇତିହାସ'ର ହିନ୍ଦୀ ସଂସ୍କରଣ : ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | April 09, 2021 IST

ନୂଆଦିଲ୍ଲୀ ୦୯/୦୪ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଉତ୍କଳ କେଶରୀ ତଥା ଡ. ହରେକୃଷ୍ଣ ମହତାବଙ୍କ ଲିଖିତ ‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ସଂସ୍କରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉନ୍ମୋଚନ କରିବେ । ପ୍ରଖ୍ୟାତ ହିନ୍ଦୀ ସାହିତ୍ୟିକ ଶଙ୍କରଲାଲ ପୁରୋହିତ ଓଡ଼ିଶା ଇତିହାସ ପୁସ୍ତକର ହିନ୍ଦୀ ଅନୁବାଦ କରିଛନ୍ତି ।

ରାଜଧାନୀ ଦିଲ୍ଲୀର ଡକ୍ଟର ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରର ଭିମ୍‌ ହଲଠାରେ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ଏହି ହିନ୍ଦୀ ସଂସ୍କରଣ ପୁସ୍ତକର ଲୋକାର୍ପଣ କରିବେ । କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଉପସ୍ଥିତ ରହିବେ ।

ଡ. ହରେକୃଷ୍ଣ ମହତାବ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଯୋଗୁଁ ୧୯୪୨-୪୬ ମଧ୍ୟରେ ଅହମ୍ମଦନଗର ଦୁର୍ଗ ଜେଲ୍‌ରେ ଥିବାବେଳେ ଓଡ଼ିଆ ଓ ଇଂରାଜୀ ଭାଷାରେ ଓଡ଼ିଶା ଇତିହାସ ଲେଖିଥିଲେ । ୧୯୪୮ରେ ଓଡିଆ ଭାଷାରେ ପ୍ରଥମେ ‘ଓଡ଼ିଶା ଇତିହାସ’ ଏବଂ ତାହାର ୬ ମାସ ପରେ ଇଂରାଜୀ ଭାଷାରେ ଏହି ପୁସ୍ତକ ପ୍ରକାଶିତ ହୋଇଥିଲା । ଗତ ୭୩ ବର୍ଷରେ ଉଭୟ ପୁସ୍ତକର ଭିନ୍ନ ଭିନ୍ନ ସଂସ୍କରଣରେ ଅନେକ ନୂଆ ଘଟଣା ସମ୍ମିଳିତ କରାଯାଇଛି । ଡ. ମହତାବ ତାଙ୍କ ଜେଲ୍‌ କାଳରେ ପ୍ରତିଦିନ ୧୨ ଘଣ୍ଟାରୁ ଅଧିକ ପରିଶ୍ରମ କରି ଇଂରାଜୀ ଓ ଓଡ଼ିଆରେ ଓଡ଼ିଶା ଇତିହାସ ମହାଭାରତ କାଳ ଘଟଣାଠାରୁ ଦେଶ ସ୍ୱାଧୀନ ଦେବା ପର୍ଯ୍ୟନ୍ତ ଅନେକ ବିବରଣୀ ତଥ୍ୟ ସହ ଉପସ୍ଥାପନ କରିଥିଲେ ।

ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣ ଲୋକାର୍ପଣ ପୂର୍ବରୁ କଟକ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ସାମ୍ବାଦିକମାନଙ୍କୁ କହିଛନ୍ତି, ଦେଶ ଯେତେବେଳେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଏକ ପ୍ରାନ୍ତୀୟ ଇତିହାସକୁ ଆମ ଦେଶର ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚନ ପୂର୍ବରୁ କେବେ ହୋଇନଥିଲା ବୋଲି ମହତାବ ଉଲ୍ଲେଖ କରିଥିଲେ । ‘ଓଡ଼ିଶା ଇତିହାସ’ର ତିନୋଟି ଭାଗ ରହିଛି । ହିନ୍ଦୀ ସଂସ୍କରଣରେ ଏହି ତିନି ଭାଗକୁ ସମ୍ମିଳିତ କରି ଗୋଟିଏ ପୁସ୍ତକ ପ୍ରସ୍ତୁତ କରାଯାଇଛି। ଡ. ହରେକୃଷ୍ଣ ମହତାବ ଫାଉଣ୍ଡେସନ୍‌ ଦ୍ୱାରା ଏହି ହିନ୍ଦୀ ସଂସ୍କରଣ ପ୍ରକାଶ ପାଇବାକୁ ଯାଉଛି ବୋଲି ମହତାବ ଦର୍ଶାଇଥିଲେ । ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣ ପ୍ରକାଶ ପାଇଁ ଏକ ପ୍ରସ୍ତାବ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରୁ ପ୍ରଥମେ ଆସିଥିଲା ବୋଲି ମହତାବ କହିଥିଲେ । ପରେ ଡ. ହରେକୃଷ୍ଣ ମହତାବ ଫାଉଣ୍ଡେସନ୍‌ ଏନେଇ କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ପୁସ୍ତକକୁ ଉନ୍ମୋଚନ କରିବା ପାଇଁ ସହମତି ପ୍ରଦାନ କରିଥିଲେ ।

ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମକୁ ଦିଲ୍ଲୀସ୍ଥିତ ଓଡ଼ିଆ ସମାଜ ଆୟୋଜନ କରୁଛି । ସଂସ୍ଥାର ମୁଖ୍ୟ ପୁରୋଧା ସିଦ୍ଧାର୍ଥ ପ୍ରଧାନ ସାମ୍ବାଦିକମାନଙ୍କୁ କହିଥିଲେ, କୋଭିଡ୍‌ ନିୟମକୁ ପାଳନ କରାଯାଇ ‘ଓଡ଼ିଶା ଇତିହାସ’ର ହିନ୍ଦୀ ସଂସ୍କରଣ ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଡ. ହରେକୃଷ୍ଣ ମହତାବ ଫାଉଣ୍ଡେସନ୍‌ର ସଦସ୍ୟ ଉପେନ୍ଦ୍ର ପାଢ଼ୀ ଏବଂ ଅଭୟ ବଡ଼ଜେନା ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.