Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ବିଜେଡିର ଡଜନେ ନେତା ଯୋଗ ଦେଲେଣି ବିଜେପିରେ, ବିଜୟ ମହାପାତ୍ର ପୁଣି ଫେରିବେ ଦଳକୁ

20/03/2019 at 5:29 PM

ଭୁବନେଶ୍ବର ୨୦|୩: ଦଳଡିଆଁଙ୍କୁ ନେଇ ରାଜ୍ୟ ରାଜନୀତି ହୁଲସ୍ତୁଲ । ଟିକେଟ ନାହିଁ ତ ହାଇକମାଣ୍ଡଙ୍କ କଥା ଶୁଣିବାର ନାହିଁ । ରାଜ୍ୟର ବଡ ଦଳ ବିଜେଡିରେ ବେଶି ଦେଖିବାକୁ ମିଳୁଛି ଏଭଳି ଚିତ୍ର । ଜଣେ ପରେ ଜଣେ ବିଧାୟକ ଓ ସାଂସଦ ବିଜେଡି ଛାଡିବାରେ ଲାଗିଛନ୍ତି । ତେବେ ପ୍ରାୟ ସମସ୍ତେ ଏକ ମୁହାଁ ହୋଇ ବିଜେପି ଆଡକୁ ମୁହାଁଇଛନ୍ତି  । ଯାହାକୁ ନେଇ ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି ।

ରାଜ୍ୟ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ଦଳ ଡିଆଁ ନେତା ମୁଣ୍ଡ ବିନ୍ଧାର ବଡ କାରଣ ପାଲଟିଛନ୍ତି । ଦୁଇ ମାସ ତଳେ ବିଜେଡିରେ ଯେଉଁପରିମାଣରେ ମିଶୁଥିଲେ ଏବେ ସେହିପରିମାଣରେ ଦଳ ଛାଡୁଛନ୍ତି। ଯିଏ ଟିକେଟ ପାଉନି ସିଏ ଥୟ ଧରୁନି । ତୁରନ୍ତ ଦଳକୁ ବାଏବାଏ କରି ଦଳ ବିରୋଧରେ ବିଷୋଦଗାର ଆରମ୍ଭ କରିଦେଉଛନ୍ତି ।

ଦଶପଲ୍ଲାର ବିଜେଡି ବିଧାୟକ ଥିବା ପୂର୍ଣ୍ଣଚନ୍ଦ୍ର ନାୟକ ଦଳ ସହ ସଂପର୍କରେ ପୂର୍ଣ୍ଣଛେଦ ପକାଇଛନ୍ତି। କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ବି ଇସ୍ତଫା ଦେଇଛନ୍ତି । ଗତକାଲି ରାତିରୁ କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ବିଜେଡିରୁ ଇସ୍ତଫା ଦେଇସାରିଛନ୍ତି । ପାରଳାରୁ ୨୦୧୪ ନିର୍ବାଚନ ଲଢିଥିବା ବିଜେଡି ନେତା କେ. ଏନ୍. ରାଓ ଦଳ ଛାଡିଛନ୍ତି ।

ସେପଟେ ବିଜେପି ଶିବିରରେ ଦିନକୁ ଦିଓଳା ଚାଲୁଛି ମିଶ୍ରଣ ପର୍ବ। ଯେଉଁମାନେ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡୁଛନ୍ତି ସେମାନେ ଗେରୁଆ ଉତ୍ତରୀ, ଟୋପି ସହିତ ଫୁଲ ତୋଡ଼ା ଧରି ବିଜେପିରେ ମିଶୁଛନ୍ତି। ଆଜି କେ. ଏନ. ରାଓ ଶଙ୍ଖ ଛାଡି ପଦ୍ମ ଧରିଛନ୍ତି । ତାଙ୍କ ସହ ୩୦ ସରପଞ୍ଚ, ୩୨ ସମିତି ସଭ୍ୟ, ୩ ଜିଲ୍ଲାପରିଷଦ ଓ ୨ ବ୍ଲକ ଚେୟାରମ୍ୟାନ ବି ବିଜେପିରେ ସାମିଲ ହୋଇଛନ୍ତି ।

ବିଜେଡିରୁ ଇସ୍ତଫା ଦେଇଥିବା ନିଳଗିରି ବିଧାୟକ ସୁକାନ୍ତ ନାୟକ ବି ବିଜେପି ମିଶିଛନ୍ତି । ଦଶପଲ୍ଲା ବିଧାୟକ ପୂର୍ଣ୍ଣ ନାୟକ ଆଜି ବିଜେଡି ଛାଡୁଛାଡୁ ସିଧା ପଦ୍ମ ପୋଖରୀରେ ପଶିଛନ୍ତି । ସେହିଭଳି ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ବି ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ମୟୁରଭଞ୍ଜର ପୂର୍ବତନ ବିଜେଡି ସାଂସଦ ଲକ୍ଷ୍ଣଣ ଟୁଡୁ ବି ଫୁଲ ଧରିଛନ୍ତି । ଏହାସହ ସୁନ୍ଦରଗଡର ବିଜେଡି ନେତ୍ରୀ କୁସୁମ ଟେଟେ, ଇନ୍ଦୁମତୀ ନାୟକ, ଆସ୍କା ବିଧାୟକ ଦେବରାଜ ମହାନ୍ତି, ଦଶପଲ୍ଲା ପୂର୍ବତନ ବିଧାୟକ କାଶୀନାତ ମଲ୍ଲିକ, ପୋଲସରା ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ, ଗଞ୍ଜାମ ଜିଲ୍ଲାର ସ୍ବେଚ୍ଛାସେବୀ ପ୍ରଭାକର ପଣ୍ଡା ପ୍ରମୁଖ ଆଜି ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ମିଶ୍ରଣ ପର୍ବକେ ବିଜେପିରେ ଯେଗଦେଇଛନ୍ତି । ତେବେ ଏତିକିରେ ସରୁନି ବିଜେଡିରୁ ବିଜେପିକୁ ଡିଆଁ ପର୍ବ । ଆଗକୁ ଆହୁରି ବିଜେଡି ଟିକଟ ନପାଇ ନାରାଶ ହେଉଥିବା ନେତା ବିଜେପି ମୁହାଁ ହେବା ସଂକେତ ଦେଇସାରିଲେଣି । ଖୁବଶୀଘ୍ର କନ୍ଧାମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ମଧ୍ୟ ବିଜେପିରେ ଯୋଗଦେଇପାରନ୍ତି । ଏସବୁ ଚିତ୍ର ଦର୍ଶାଉଛି ଯେ ବିଜେଡି ଅସନ୍ତୁଷ୍ଟଙ୍କ ପାଇଁ ଏକ ବଡ ପ୍ଲାଟଫର୍ମ ପାଲଟିଛି ବିଜେପି ।

 ଏହାଭିତରେ ବରିଷ୍ଠ ନେତା ବିଜୟ ମହାପାତ୍ର ପୁଣି ବିଜେପିକୁ ଫେରିବା ଚର୍ଚା ଜୋର ଧରିବାରେ ଲାଗିଛି । ଖୁବଶୀଘ୍ର ସେ ଦିଲ୍ଲୀରେ ବଡନେତାଙ୍କ ଗହଣରେ ଘର ବାହୁଡା କରିବେ ବୋଲି ଜଣାପଡିଛି । ତେବେ ନିର୍ବାଚନ ଫଳ କହିବ ଯେଉଁମାନେ ଦଳ ଛାଡିଲେ ଓ ଦଳରେ ମିଶିଲେ ସେମାନଙ୍କ ପାଇଁ କାହାର କ୍ଷତି ହୋଇଛି ଆଉ କାହାର ଲାଭ ।

   Related Posts