ଯୌତୁକ ପାଇଁ ନବବଧୁକୁ ପୋଡ଼ି ମାରିଦେଲେ ଶ୍ୱଶୁର ଘର ଲୋକ

Published By : Prameya-News7 Bureau | May 29, 2018 IST

ଯୌତୁକ ପାଇଁ ସୈତାନ ପାଲଟିଲେ ଶ୍ୱଶୁର ଘର ଲୋକେ । ଟଙ୍କା, ଫ୍ରିଜ୍, ୱାସିଂମେସିନ ପାଇଁ ନବବଧୁକୁ ପୋଡ଼ି ମାରିଦେଲେ । ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ନୂଆପାଟଣା ଗ୍ରାମର ଶିବ ବିଶ୍ୱାଳ ଏବଂ ତାଙ୍କ ପରିବାରଙ୍କ ନାଁରେ ଆସିଛି ଏଭଳି ସଂଗୀନ ଅଭିଯୋଗ । ଗତ ମାସ ୨୬ ତାରିଖ ଦିନ ଚନ୍ଦନପୁର ଥାନା ଅନ୍ତର୍ଗତ ନୂଆପାଟଣା ଗ୍ରାମର ତ୍ରୀନାଥ ବେହେରାଙ୍କ ଝିଅ ରଶ୍ମିତା ବେହେରାଙ୍କ ସହ ଶିବ ବିଶ୍ୱାଳର ବୈଦିକ ରିତିରେ ବିବାହ ହୋଇଥିଲା । ତେବେ ଯୌତୁକ ବାବଦକୁ ଶିବ ଏବଂ ତାଙ୍କ ପରିବାର ଲୋକେ ରଶ୍ମିତାଙ୍କୁ ୨୫ ହଜାର ଟଙ୍କା, ୱାସିଂମେସିନ୍ ଏବଂ ଫ୍ରିଜ ବାପଘରୁ ଆଣିବା ପାଇଁ ବାଧ୍ୟ କରିଥିଲେ । ଦାବୀ ପୁରଣ ନହେବାରୁ ଗତ ୨୧ ତାରିଖ ଦିନ ରଶ୍ମିତାଙ୍କ ଉପରେ କିରୋସିନ୍ ଢ଼ାଳି ନିଆଁ ଲଗାଇଦେଇଥିଲେ । ଗୁରୁତର ଅବସ୍ଥାରେ ରଶ୍ମିତାକୁ ପରିବାର ଲୋକେ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସସିବିକୁ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରଶ୍ମିତାର ମୃତ୍ୟୁ ଘଟିଥିଲା । ତେବେ ଘଟଣାକୁ ନେଇ ରଶ୍ମିତାଙ୍କ ପରିବାର ଲୋକେ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ସେମାନଙ୍କ ଅଭିଯୋଗ ରଖିନଥିଲା । ନ୍ୟାୟ ପାଇଁ ଏବେ ଝିଅର ମୃତ ଦେହ ଥାନା ସାମ୍ନାରେ ରଖି ରାସ୍ତାରୋକ କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.