ସ୍ତ୍ରୀକୁ କହିଲେ ଅଧିକ ଯୌତୁକ ଆଣେ, ବିରୋଧ କରିବାରୁ ସଉତୁଣୀ ସହ ମିଶି ଦେଲେ ନିର୍ଯାତନା

Published By : Prameya-News7 Bureau | August 06, 2021 IST

ଜୟପୁର ୦୬।୦୮: ମହିଳାଙ୍କୁ ଶାରୀରିକ, ମାନସିକ ଏବଂ ଯୌତୁକ ନିର୍ଯାତନାର ଅଭିଯୋଗ ଆସିଛି । କୋରାପୁଟ ଜିଲ୍ଲା  ବୋରିଗୁମ୍ମା ବ୍ଲକ କଷାଗୁଡ଼ାର ବୃନ୍ଦା ଗାଦବା ଏହି ଅଭିଯୋଗ ଆଣିଛନ୍ତି । ସେ ନିଜ ସ୍ୱାମୀ, ଶ୍ୱଶୁର ଏବଂ ସଉତୁଣୀଙ୍କ ନାଁରେ ଲିଖିତ ଭାବେ ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କରେ ମହିଳା ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଆଇଆଇସି ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ବୃନ୍ଦା ୨୦୧୫ ମସିହାରେ ତୁଳାରାମ ଗାଦବାଙ୍କୁ ବିବାହ କରିଥିଲେ । ବାହାଘର ବେଳେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା । ବିବାହର ପ୍ରଥମ ୩ ବର୍ଷ ଭଲରେ କଟିଥିଲା । ଏହାପରେ ଶ୍ୱଶୁର ଘର ଲୋକ ଅଧିକ ଯୌତୁକ ଆଣିବାକୁ ଚାପ ପକାଇଥିଲେ । ଏକ ବାଇକ୍‌ କିଣିବାକୁ ଟଙ୍କା ଆଣିବା ଲାଗି ବାଧ୍ୟ କରି ଗାଳିଗୁଲଜ କରିବା ସହ ମାରଧର କରିଥିଲେ । ବାଧ୍ୟ ହୋଇ ଅଭିଯୋଗକାରିଣୀଙ୍କ ବାପା ବାଇକ୍‌ କିଣିବା ଲାଗି ଟଙ୍କା ଦେଇଥିଲେ ।

ଦୁର୍ଭାଗ୍ୟବଶତଃ ୨୦୧୯ରେ ତୁଳାରାମଙ୍କ ଦୁର୍ଘଟଣା ଘଟିଥିଲା । ବିଭିନ୍ନ ଡାକ୍ତରଖାନରେ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ । ଏହାପରେ ତୁଳାରାମ ଆଉ ଟଙ୍କା ଆଣିବାକୁ ଦାବି କରିଥିଲେ । ଏହାକୁ ସମର୍ଥନ କରିଥିଲେ ତାଙ୍କ ଶ୍ୱଶୁର । ସେପଟେ ସେ ଅନ୍ୟ ଜଣେ ଯୁବତୀଙ୍କୁ ଉଦୁଲିଆରୁ ଆଣି ଘରେ ରଖିଥିଲେ । ଏହାକୁ ବିରୋଧ କରିବାରୁ ସ୍ୱାମୀ, ଶ୍ୱଶୁର ଏବଂ ସଉତୁଣୀ ବୃନ୍ଦାଙ୍କୁ ଗାଳିଗୁଲଜ କରିଥିଲେ । ମାରିଦେବାକୁ ଧମକ ଦେଇଥିଲେ । ବାଧ୍ୟ ହୋଇ ଅଭିଯୋଗକାରିଣୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏସ୍‌ଆଇ ମୀନାକ୍ଷୀ ଦଳବେହେରା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.