କମେଣ୍ଟ ମାରିବାକୁ କେନ୍ଦ୍ରକରି ଡବଲ ମର୍ଡର, ଗୋଡାଇ ଗୋଡାଇ ୨ ଜଣଙ୍କୁ ହାଣିଲେ ଦୁର୍ବୃତ୍ତ
24/09/2019 at 8:02 AM

ରେଢାଖୋଲ ୨୪।୯: ସମ୍ବଲପୁରରେ ଲୋମଟାଙ୍କୁରା ନୃଶଂସତା । ରେଢାଖୋଲ ଯୁଯୁମରା ଥାନା ଡଙ୍ଗରପଡା ପଞ୍ଚାୟତ ଭଣ୍ଡାରିମାଲ ଗାଁରେ କମେଣ୍ଟମରାରୁ ଡବଲ ମର୍ଡର । ଗାଁ ଦାଣ୍ଡରେ ୫ ଜଣଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ଗୋଟିଏ ପରିବାରର ୨ ଭାଇ ପ୍ରାଣ ହରାଇଛନ୍ତି । ମୃତକ ୨ ଜଣ ହେଲେ ଭଣ୍ଡାରିମାଲ ଗାଁ ତଳିପଡାର ଶକ୍ତିଭୂଷଣ କୁମରା ଓ ଅରବିନ୍ଦ କୁମରା । ଆଉ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଅଛି । ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସେମାନେ ହେଲେ ମୃତକଙ୍କ ଭାଇ ବିଭୂତି ଭୂଷଣ କୁମରା ଓ ସଂପର୍କୀୟ ନନ୍ଦଲାଲ ଭୁଏ । ସମସ୍ତଙ୍କ ଗୋଡକୁ କାଠ ଉପରେ ରଖି ହାଣି ଛିଣ୍ଡାଇ ଦେଇଛନ୍ତି ।

ବିଳମ୍ବିତ ରାତିରେ ମଦ ପିଇବା ପରେ ଗାଁର ଜଣେ ଝିଅକୁ କମେଣ୍ଟ ଓ ମାରପିଟ ଘଟଣାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ସୂଚନାରୁ ଜଣାପଡିଛି । ରବିବାର ସନ୍ଧ୍ୟାରେ ଜଣେ ଝିଅଙ୍କୁ ତଳିପଡ଼ାର କିଛି ଯୁବକ କମେଣ୍ଟ ମାରିବା ସହ ଗାଳିଗୁଲଜ କରିଥିଲେ। ସେହି ଘଟଣାକୁ ନେଇ ଝିଅଙ୍କ ପରିବାର ଓ କିଛି ସଂପର୍କୀୟ ସକାଳେ ଆଲୋଚନା ପାଇଁ ସେଠାକୁ ଯାଇଥିଲେ। କିନ୍ତୁ କମେଣ୍ଟ ମାରିଥିବା ଯୁବକମାନେ ଅନୁପସ୍ଥିତ ଥିଲେ। ତେବେ ଗାଁ ଦାଣ୍ଡରେ ଗାଳିଗୁଲଜ କରି ପରିବାର ଓ ସଂପର୍କୀୟ ଫେରିଥିଲେ।

ଏହି ଘଟଣା ପରେ କମେଣ୍ଟ ମାରିଥିବା ଗୋଷ୍ଠୀ ସନ୍ଧ୍ୟାରେ ଟାଙ୍ଗିଆ ଓ ଅନ୍ୟ ମାରଣାସ୍ତ୍ର ଧରି ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଝିଅଙ୍କ ସମ୍ପର୍କୀୟ ପୁଣି ଗାଁ ମୁଣ୍ଡରେ ପହଞ୍ଚିବା ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। କମେଣ୍ଟ ମାରିଥିବା ଗୋଷ୍ଠୀ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲେ। ଗାଁ ଦାଣ୍ଡର ଏହି ବୀଭତ୍ସ ଦୃଶ୍ୟ ଦେଖି ଲୋକେ ଆତଙ୍କିତ ହୋଇଯାଇଥିଲେ ସୁଦ୍ଧା କେହି ପୁଲିସ୍ କୁ ସୂଚନା ଦେଇନଥିଲେ । ପରେ ରାତି ପ୍ରାୟ ୧୧ଟାରେ ପୁଲିସ୍ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି ।