ସ୍ୱାମୀ ହାଣିଲା ସ୍ତ୍ରୀକୁ, ତାକୁ ମାରିଲା କିଏ ? ଏବେ ମହିଳାଙ୍କ ମୃତ୍ୟୁ ପରେ ଡବଲ ମର୍ଡର ମାମଲା ଜଟିଳ

Published By : Prameya-News7 Bureau | July 04, 2020 IST

ଭୁବନେଶ୍ୱର ୦୪।୦୭: ରାଜଧାନୀରେ ଡବଲ ମର୍ଡର । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣି ଗଙ୍ଗୁଆ ବସ୍ତିରେ ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ତେବେ ମହିଳାଙ୍କ ସଂପର୍କୀୟମାନେ ସ୍ୱାମୀଙ୍କୁ ହତ୍ୟା କରି ଗଙ୍ଗୁଆ ନାଳରେ ଫିଙ୍ଗି ଦେଇଥିବା ଆଲୋଚନା ହେଉଛି । ମଞ୍ଚେଶ୍ୱର ଥାନା ପୁଲିସ ସ୍ୱାମୀଙ୍କ ମୃତଦେହ ପାଇ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ସ୍ତ୍ରୀଙ୍କ ମୃତଦେହ ଜବତ କରି ହତ୍ୟା ମାମଲା ରୁଜୁ କରିଛି । ତେବେ ସ୍ୱାମୀଙ୍କ ମୃତ୍ୟୁ ଉପରୁ ପୁଲିସ ପରଦା ହଟାଇ ପାରିନାହିଁ । ଜବତ ଶବ ମୃତ ମହିଳାଙ୍କ ସ୍ୱାମୀଙ୍କର କି ଅନ୍ୟ କାହାର ସେ ନେଇ ପୁଲିସ ଖୋଳତାଡ଼ ଚଳାଇଛି ।

ପୁଲିସ ସୂଚନା ମୁତାବକ, ପଳାଶୁଣି ବସ୍ତିରେ ରହୁଥିଲେ ସନାତନ ଜେନା(୪୦) ଓ ତାଙ୍କ ପତ୍ନୀ ସଞ୍ଜୁଲତା ଦେହୁରୀ(୩୫)। ଜୁନ୍‌ ୧୫ ତାରିଖରେ ପାରିବାରିକ କଳହକୁ ନେଇ ସନାତନ ସ୍ତ୍ରୀ ସଞ୍ଜୁଲତାଙ୍କୁ ଫାର୍ସାରେ ହାଣି ପକାଇଥିଲେ । ଗୁରୁତର ଅବସ୍ଥାରେ ସାହି ପଡ଼ୋଶୀମାନେ ସଞ୍ଜୁଲତାଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍‌ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସଞ୍ଜୁଲତାଙ୍କ ଭାଇ ସମେଇଗଡ଼ିଆ ବାସିନ୍ଦା ଗୌର ସିଂହଙ୍କ ଅଭିଯୋଗକୁ ଭିତ୍ତିକରି ମଞ୍ଚେଶ୍ୱର ଥାନା ପୁଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ହେଲେ ସଞ୍ଜୁଲତାଙ୍କ ସ୍ୱାମୀଙ୍କୁ ଖୋଜି ପାଇ ନଥିଲା । ଏମ୍‌ସରେ ଚିକିତ୍ସିତ ହେଉଥିବା ସଞ୍ଜୁଲତାଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିଲା । ତେଣୁ ପୁଲିସ ହତ୍ୟା ଉଦ୍ୟମ ମାମଲାକୁ ବଦଳାଇ ହତ୍ୟା ମାମଲା ରୁଜୁ କରିଥିଲା । ପୁଲିସ ସଞ୍ଜୁଲତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଥିଲା । ମୃତଦେହକୁ ପୁଲିସ ସଞ୍ଜୁଲତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ସେପଟେ ଜୁନ ମାସ ୨୫ ତାରିଖରେ ମଞ୍ଚେଶ୍ୱର ଥାନା ପୁଲିସ ସତ୍ୟବିହାର ପଛପଟ ଗଙ୍ଗୁଆ ନାଳରୁ ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ଗଳିତ ମୃତଦେହ ଉଦ୍ଧାର କରିଥିଲା । ତାଙ୍କୁ କେହି ମାରି ଫିଙ୍ଗି ଦେଇଥିବା ଅନୁମାନ କରା ଯାଉଥିଲା । ପୁଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଉକ୍ତ ମୃତଦେହ ସନାତନଙ୍କର ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରି ପୁଲିସକୁ କହିଥିଲେ । କିନ୍ତୁ ପୁଲିସ ଲୋକଙ୍କ କଥାକୁ ଗୁରୁତ୍ୱ ଦେଇ ନଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ସନାତନ ସଞ୍ଜୁଲତାଙ୍କୁ ଅତି ନୃସଂଶ ଭାବେ ହାଣି ପକାଇଥିଲେ । ଖବରପାଇ ସଞ୍ଜୁଲତାଙ୍କ ନିକଟ ସଂପର୍କୀୟମାନେ ସେହି ରାତିରେ ଆସି ବସ୍ତି ସମେତ ଆଖପାଖ ଅଞ୍ଚଳରେ ସନାତନଙ୍କୁ ଖୋଜାଖୋଜି କରୁଥିଲେ । ତେଣୁ ସେମାନେ ହିଁ ପ୍ରତିଶୋଧ ପରାୟଣ ହୋଇ ସନାତନଙ୍କୁ ହତ୍ୟା କରିଥାଇ ପାରନ୍ତି । କିନ୍ତୁ ପୁଲିସ ଲୋକଙ୍କ କଥାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି ।

ଏନେଇ ଏସିପି ଅନୀଲ ମିଶ୍ର କହିଛନ୍ତି, ମୃତ ସଞ୍ଜୁଲତାଙ୍କୁ ତାଙ୍କ ସ୍ୱାମୀ ସନାତନ ହାଣିଥିଲେ । ଏନେଇ ମଞ୍ଚେଶ୍ୱର ଥାନାରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିଲା । ସଞ୍ଜୁଲତାଙ୍କ ମୃତ୍ୟୁ ପରେ ହତ୍ୟା ମାମଲା ରୁଜୁ ହୋଇଛି । ତେବେ ୨୫ ତାରିଖରେ ସତ୍ୟବିହାରରୁ ମିଳିଥିବା ଗଳିତ ମୃତଦେହ ସନାତନଙ୍କର କି ନୁହେଁ ସେ ନେଇ କିଛି ସ୍ପଷ୍ଟ ପ୍ରମାଣ ମିଳିନାହିଁ । ତେଣୁ ସନାତନଙ୍କ ପରିବାର ଲୋକଙ୍କ ଡିଏନ୍‌ଏ ଟେଷ୍ଟ ପାଇଁ ପଠାଯିବ । ଡିଏନ୍‌ରେ ରିପୋର୍ଟ ମିଳିବା ପରେ ତାହା ସନାତନଙ୍କର କି ନୁହେଁ ସ୍ପଷ୍ଟ ହେବ । ତା’ ପରେ ତଦନ୍ତ ଆଗକୁ ବଢ଼ିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.