ଦୁଇଟି ମସଜିଦରେ ଗୁଳି ଚଳାଇ ୫୧ ଜଣଙ୍କୁ ହତ୍ୟା, ୪୦ ଜଣଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ଫିଟନେସ୍ ପ୍ରଶିକ୍ଷକ : ଆତଙ୍କବାଦରେ ମଧ୍ୟ ସାମିଲ
26/03/2020 at 12:51 PM

ୱେଲିଂଟନ ୨୬/୦୩ : ଅଷ୍ଟ୍ରେଲିଆର ନାଗରିକ ବ୍ରେଣ୍ଟନ୍ ହାରିସନ୍ ଟାରାଣ୍ଟ ନ୍ୟୁଜିଲ୍ୟାଣ୍ଡର ଖ୍ରୀଷ୍ଟ ଚର୍ଚ୍ଚରେ ଦୁଇଟି ମସଜିଦ (ଅଲ-ନୁର ଏବଂ ଲିନଉଡ୍) ଉପରେ ଆକ୍ରମଣ କରି ଦୋଷୀ ସାବ୍ୟସ୍ତ ହୋଇଛି । ସେ ୫୧ ଜଣଙ୍କୁ ହତ୍ୟା କରିବା, ୪୦ ଜଣଙ୍କୁ ହତ୍ୟା ଉଦ୍ୟମ ଏବଂ ଆତଙ୍କ ବିସ୍ତାର କରିଥିବା ଯୋଗୁଁ ଦୋଷୀ ସାବ୍ୟସ୍ତ କରାଯାଇଛି । ତାରାଣ୍ଟ ଉପରେ ଏପର୍ଯ୍ୟନ୍ତ ଦଣ୍ଡବିଧାନ କରାଯାଇ ନାହିଁ। ଗତ ବର୍ଷ ଏହି ଆକ୍ରମଣରେ ବ୍ରେଣ୍ଟନ୍ ୫୧ ଜଣଙ୍କୁ ହତ୍ୟା କରିଥିଲା । ସେମାନଙ୍କ ମଧ୍ୟରୁ ୮ ଜଣ ଭାରତୀୟ ଥିଲେ।
୨୦୧୯ ମସିହା ମାର୍ଚ୍ଚ ୧୫ ତାରିଖରେ ୨୮ ବର୍ଷ ବୟସ୍କ ବ୍ରେଣ୍ଟନ୍ ଦୁଇଟି ମସଜିଦରେ ବସିଥିବା ଲୋକଙ୍କ ଉପରେ ନମାଜ ସମୟରେ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇଥିଲା । ଆକ୍ରମଣର ୨୧ ମିନିଟ ପରେ ପୋଲିସ ତାକୁ ଗିରଫ କରିଥିଲା। ବ୍ରେଣ୍ଟନ୍ ଏହି ହତ୍ୟାକାଣ୍ଡର ଏକ ଲାଇଭ ଭିଡିଓ ଫେସବୁକରେ ପ୍ରକାଶ କରିଥିଲା | ଏହି ଭିଡିଓ ଭାଇରାଲ ହୋଇଥିଲା ଏବଂ ଅନ୍ୟ ଏକ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଆକ୍ରମଣ ଦେଶର ସମଗ୍ର ମୁସଲମାନ ସମ୍ପ୍ରଦାୟକୁ ଥରାଇ ଦେଇଥିଲା | ଏହା ପରେ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଏବଂ ସ୍ଥାନୀୟ ଲୋକମାନେ ପ୍ରଭାବିତ ଲୋକଙ୍କ ସହ ଏକତା ପ୍ରଦର୍ଶନ କରିଥିଲେ। ତା’ପରେ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ବନ୍ଧୁକ ଆଇନ ପରିବର୍ତ୍ତନ କରିବା ପାଇଁ କହିଥିଲେ । ଏହି ଆକ୍ରମଣରେ ୫୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ଏଥିରେ ବାଂଲାଦେଶ କ୍ରିକେଟ୍ ଦଳର ଖେଳାଳି ମଧ୍ୟ ଅଳ୍ପକେ ବଞ୍ଚିଯାଇଥିଲେ ।
ଯେତେବେଳେ ପୋଲିସ ପ୍ରଥମେ ବ୍ରେଣ୍ଟନ୍କୁ କୋର୍ଟରେ ହଜାର କରିଥିଲା ସେ ପୁରା ସମୟ ହସୁଥିଲା | କିଛି ସମୟ ପରେ ସେ ଗଣମାଧ୍ୟମ ଆଗରେ ମଧ୍ୟ ହସି ହସି ସବୁକିଛି ଠିକ୍ ହେବ ବୋଲି ଇସାରା କରିଥିଲା । ଆତଙ୍କବାଦୀ ହେବା ପୂର୍ବରୁ ବ୍ରେଣ୍ଟନ ଜଣେ ଫିଟନେସ୍ ପ୍ରଶିକ୍ଷକ ଥିଲେ। କୋର୍ଟରେ ସେ ନିଜକୁ ଜଣେ ଫାସିଷ୍ଟ ବୋଲି କହିଥିଲା ଏବଂ କୋର୍ଟରେ ଜାମିନ ଆବେଦନ ମଧ୍ୟ କରିନଥିଲେ।
ଜୁନ୍ ମାସରେ ବ୍ରେଣ୍ଟନ ମାମଲାର ଶୁଣାଣି ହେବାର ଥିଲା, କିନ୍ତୁ କୋର୍ଟ ୪ ସପ୍ତାହ ବନ୍ଦ ରହିବ ସତ୍ୱେ ଏହି ମାମଲାରେ କୋର୍ଟ ତୁରନ୍ତ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜେଲରୁ ନିଜେ ଭିଡିଓ ଲିଙ୍କରେ ତାରାଣ୍ଟ ଜଡିତ ଥିଲା । ପୀଡିତ ପରିବାରମାନେ ତାରାଣ୍ଟକୁ ଦୋଷୀ ସାବ୍ୟସ୍ତ କରିବା ପରେ ଖୁସି ବ୍ୟକ୍ତ କରିଛନ୍ତି।