ଦେଶର ଏହି ସହରଗୁଡିକରେ ଘର ଘର ବୁଲି ହେବ କୋଭିଡ୍‌ ସର୍ଭେ

Published By : Prameya-News7 Bureau | June 09, 2020 IST

ନୂଆଦିଲ୍ଲୀ ୦୯।୦୬: କରୋନା ଭାଇରସ୍‌ (କୋଭିଡ-୧୯) ସଂକ୍ରମଣ ମାମଲା ବଢ଼ୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶର ୧୦ଟି ରାଜ୍ୟର ୩୮ଟି ଜିଲ୍ଲାରେ ଥିବା ୪୫ ସହରାଞ୍ଚଳ (ପୌର ପରିଷଦ ଓ ମହାନଗର ନିଗମ)ରେ ଘରକୁ ଘର ସର୍ଭେ କରି ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ପରାମର୍ଶ ଦେଇଛି । ଏସବୁ ସହରରେ କରୋନା ସଂକ୍ରମଣ ଓ ତଦ୍‌ଜନିତ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ତାକୁ ରୋକିବା ଲାଗି ବ୍ୟାପକ ସର୍ଭେଲାନ୍ସ କରିବା ସହ ନମୁନା ପରୀକ୍ଷା ମଧ୍ୟ ବଢ଼ାଇବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦନ ସୋମବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ୩୫ଟି ଜିଲ୍ଲାର ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ଜିଲ୍ଲା ହସ୍ପିଟାଲର ଅଧୀକ୍ଷକ ଓ ମେଡିକାଲ କଲେଜର ଅଧ୍ୟକ୍ଷଙ୍କ ସହଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ମହାରାଷ୍ଟ୍ର, ତେଲଙ୍ଗାନା, ତାମିଲନାଡୁ, ରାଜସ୍ଥାନ, ହରିଆଣା, ଗୁଜରାଟ, ଜମ୍ମୁ-କାଶ୍ମୀର, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶରେ ଏହି ୩୫ଟି ଜିଲ୍ଲା ରହିଛି । ଲକ୍‌ଡାଉନ କଟକଣା କୋହଳ କରାଯିବା ସହ ଅନେକ କଟକଣାକୁ ହଟାଇ ଦିଆଯାଇଥିବାରୁ ଆଗାମୀ ଦିନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଏସବୁ ଜିଲ୍ଲାକୁ ପରାମର୍ଶ ଦିଆଯାଇଛି । ବୈଠକରେ ସହରାଞ୍ଚଳର ଜନବହୁଳ ଅଞ୍ଚଳରେ ସଂକ୍ରମଣ ବ୍ୟାପିବା, ବିଭିନ୍ନ ଅଞ୍ଚଳକୁ ସୁବିଧା ସୁଯୋଗ ଯୋଗାଇବା, ଘରକୁ ଘର ସର୍ଭେ କରି ସ୍ୱାସ୍ଥ୍ୟ ଯାଞ୍ଚ କରିବା, ନମୁନା ପରୀକ୍ଷାକୁ ବ୍ୟାପକ କରିବା, ଚିକିତ୍ସା ବ୍ୟବସ୍ଥାକୁ ବୃଦ୍ଧି କରିବା ଏବଂ କଣ୍ଟେନମେଣ୍ଟ ଯୋଜନା କାର୍ଯ୍ୟକାରୀ କରିବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ମୃତ୍ୟୁହାର ରୋକିବା ଲାଗି ଜିଲ୍ଲାସ୍ତରରେ ବରିଷ୍ଠ ନାଗରିକ ଓ ଅନ୍ୟ ରୋଗରେ ପୀଡିତ ଲୋକଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଉଥିବା ଜିଲ୍ଲାପାଳ କହିଥିଲେ ।

ଉପଯୁକ୍ତ ସମୟରେ ରୋଗ ଚିହ୍ନଟ କରିବାକୁ ଘରକୁ ଘର ସର୍ଭେ କରିବା, ସର୍ଭେଲାନ୍ସ ଟିମ୍‌ ସଂଖ୍ୟା ବଢ଼ାଇବା, ଅଧିକ ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଇବା, ହସ୍ପିଟାଲରେ ବେଡ୍‌ ସଂଖ୍ୟା ବଢ଼ାଇବା, ହସ୍ପିଟାଲରେ ରୋଗୀଙ୍କୁ ୨୪ ଘଣ୍ଟିଆ ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ବୈଠକରେ ସାମିଲ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ମେଡିକାଲଗୁଡିକରେ ଅଧିକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ନିୟୋଜିତ କରାଯିବା ଦରକାର,ଯାହାଫଳରେ ନାଗରିକମାନେ ଠିକ୍‌ ସମୟରେ ଚିକିତ୍ସା ସୁବିଧା ପାଇପାରିବେ । ଏଥିସହ ଲ୍ୟାବରେ ଯେଭଳି ଠିକ୍‌ ସମୟରେ ନମୁନା ଟେଷ୍ଟିଂ କରାଯାଏ ଓ ତାର ଫଳାଫଳ ପ୍ରକାଶ ପାଇବ ସେହି ଦିଗରେ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଥିଲା । ଗ୍ରାମାଞ୍ଚଳରେ ଜିଲ୍ଲା ସ୍ତରର ଲୋକ ପ୍ରତିନିଧିମାନେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗକୁ ଏ ଦିଗରେ ଆବଶ୍ୟକ ସହଯୋଗ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.