ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ ! ଟ୍ରେନ୍‌ ଯାତ୍ରା ସମୟରେ ଏଭଳି ଭୁଲ୍‌ କରନ୍ତୁ ନାହିଁ, ସତର୍କ କଲା ରେଳ ବିଭାଗ

Published By : Prameya-News7 Bureau | November 14, 2020 IST

ନୂଆଦିଲ୍ଲୀ ୧୪/୧୧: ଫୁଟିବନି ବାଣ, ଜମିବନି ଦୀପାବଳି। ବିଭିନ୍ନ ରାଜ୍ୟ ସରକାର ବାଣ କିଣା-ବିକା ଉପରେ ରୋକ ଲଗାଇଛନ୍ତି। କିନ୍ତୁ ଲୋକେ ଚୋରା ଛପା ବାଣ କିଣିବାକୁ ପ୍ରୟାସ କରୁଛନ୍ତି। ସେପଟେ କିନ୍ତୁ ସଜାଗ ରହିଛି ପୋଲିସ । ବାଣ ଫୁଟୁଥିବା ସ୍ଥାନରେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ପ୍ରଶାସନ ଫୁଲ ପ୍ରସ୍ତୁତ ରହିଛି। ଏହି ଫେଷ୍ଟିଭ୍‌ ସିଜ୍‌ନରେ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ଟ୍ରେନ୍‌ ଯାତ୍ରା କରିବା ସମୟରେ ଯାତ୍ରୀମାନେ ନିଜ ଲଗେଜରେ ବାଣ ନନେବାକୁ ରେଳ ବାଇ ସତର୍କ କରାଇଛି। ଯଦି କୌଣସି ଯାତ୍ରୀ ବାଣ ଲୁଚାଇ ନେଉଛନ୍ତି ତେବେ ଏହା ରେଳ ଆକ୍ଟ ୧୯୯୮ର ସେକ୍ସନ ୬୭ର ଉଲ୍ଲଂଘନ ବୋଲି ଧରାଯିବ। ଏହି ଆକ୍ଟ ଅଧିନରେ କୌଣସି ଯାତ୍ରୀ ଭୟଙ୍କର ବା ଘୃଣ୍ୟ ଜିନିଷ ନିଜ ସାଥିରେ ନେପାରିବେ ନାହିଁ। ଏହା ସହ ସେ ରେଳ ଅଧିକାରୀଙ୍କ ପାଖରୁ କୌଣସି ପ୍ରକାର ଅନୁମତି ମାଗି ପାରିବ ନାହିଁ। ତେବେ ଏଭଳି କିଛି ଜିନିଷ ନେଲା ବେଳେ ଯଦି ଯାତ୍ରୀ ଧରାପଡ଼ନ୍ତି ତେବେ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହେବ।

ତେବେ ରେଳବାଇ ପକ୍ଷରୁ ସମସ୍ତ ଷ୍ଟେସନରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଉଛି। ଯେମିତି କୌଣସି ବ୍ୟକ୍ତି ବାଣର ଅବୈଧ ଚାଲଣ ନକରିପାରିବ ସେନେଇ ଧ୍ୟାନ ​‌ଦେଉଛି ରେଳବାଇ। ସମସ୍ତ ଯାତ୍ରୀଙ୍କ ଲଗେଜ୍‌ ଯାଞ୍ଚ କରୁଛି ରେଳ ସୁରକ୍ଷା ବଳ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.