ଆସନ୍ତାକାଲିର ଡୋନାଲଡ୍‌ ଟ୍ରମ୍ପଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ...

Published By : Prameya-News7 Bureau | February 23, 2020 IST

ନୂଆଦିଲ୍ଲୀ୨୩/୨: ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସପରିବାର ଆସୁଥିବା ଟ୍ରମ୍ପ ସକାଳେ ସିଧା ଅହମ୍ମଦାବାଦ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରେ ନବନିର୍ମିତ ମୋଟେରା ଷ୍ଟାଡିୟମକୁ ଉଦଘାଟନ କରିବା ସହ ସମ୍ବୋଧନ ଦେବେ । ଏହାପରେ ସେ ସେଠାରୁ ଆଗ୍ରା ଯିବେ । ଏଥିପାଇଁ ଆଗ୍ରାର ସୌନ୍ଦର୍ଯ୍ୟକରଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହାପରଦିନ ଅର୍ଥାତ୍ ମଙ୍ଗଳବାର ଭାରତ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସଂପର୍କରେ ଆଲୋଚନା ହେବ । ଟ୍ରମ୍ପଙ୍କ ସ୍ବାଗତ ପାଇଁ ଅନେକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି ।  

କାଲିଠାରୁ ଆରମ୍ଭ ହେଉଥିବା ଟ୍ରମ୍ପଙ୍କ ଦୁଇଦିନିଆ ଭାରତ ଗସ୍ତ ପାଇଁ ଉତ୍ସବ ମୁଖର ସାରା ଦେଶ । ସକାଳ ୧୧ ଟାରେ ଅହମଦାବାଦ ଆନ୍ତର୍ଜାତିକ ବିମାନବନ୍ଦରରେ ଏୟାର ଫୋର୍ସ ୱାନ୍ ବିମାନ ଯୋଗେ ପହଞ୍ଚିବ ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ସହ ପତ୍ନୀ ମିଲେନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ, ଜ୍ବାଇଁ ଜାରେଡ୍ କୁସନର ଓ ୧୨ ଜଣିଆ ପ୍ରତିନିଧି ମଣ୍ଡଳ ଆସୁଛନ୍ତି । ଟ୍ରମ୍ପଙ୍କୁ ବିମାନ ବନ୍ଦରରୁ ଏକ ବିରାଟ ଶୋଭାଯାତ୍ରାରେ ମୋଟେରା ଷ୍ଟାଡିୟମକୁ ନିଆଯିବ ।

ଏହି ସମୟରେ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି, ଗୃହ ମନ୍ତ୍ରୀ ଅମିତ୍ ଶାହା ପ୍ରମୁଖ ରହିବେ । ମୋଟେରା ଷ୍ଟାଡିୟମ୍‌କୁ ଟ୍ରମ୍ପ ଉଦ୍‌ଘାଟନ କରିବା ସହ ୧ ଲକ୍ଷରୁ ଅଧିକ ଜନସାଧାରଣଙ୍କୁ ସମ୍ବୋଧନ ଦେବେ । ଏହି କାର୍ଯ୍ୟକ୍ରମକୁ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ନାମ ଦିଆ ଯାଇଛି । ଷ୍ଟାଡିଅମକୁ ଯିବା ପୂର୍ବରୁ ଟ୍ରମ୍ପ ଓ ମୋଦି ଗାନ୍ଧିଜୀଙ୍କ ସାବରମତି ଆଶ୍ରମ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା । ତେବେ ଏନେଇ କିଛି ନିର୍ଦ୍ଧିଷ୍ଟ କାର୍ଯ୍ୟକ୍ରମ ସ୍ଥିର ହୋଇପାରିନାହିଁ । ମୋଟେରା କାର୍ଯ୍ୟକ୍ରମ ପରେ ଟ୍ରମ୍ପ ସପରିବାର ଆଗ୍ରା ତାଜମହଲ ଦେଖିବାକୁ ଯିବେ । ତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଯିବେ ନାହିଁ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ତାଙ୍କୁ ସେଠାରେ ସ୍ବାଗତ କରିବେ । ଏହାପରେ ଟ୍ରମ୍ପ ଦିଲ୍ଲୀ ଫେରି ସେଠାରେ ରାତ୍ରୀଯାପନ କରିବେ ।

ପର ଦିନ ଟ୍ରମ୍ପ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଟ୍ରମ୍ପଙ୍କ ସାକ୍ଷାତ ଆଲୋଚନା ରହିଛି । ଏହି ସମୟରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ରାଜନୈତିକ, ବାଣିଜ୍ୟିକ, ଆର୍ଥିକ, ସୁରକ୍ଷା ଆଦି ପ୍ରସଙ୍ଗରେ ଆଲୋଚନା ହେବ । ସେପଟେ ଟ୍ରମ୍ପଙ୍କ ପତ୍ନୀ ମିଲେନିଆ ଟ୍ରମ୍ପ ମଙ୍ଗଳବାର ଦିଲ୍ଲୀର ଏକ ସରକାରୀ ସ୍କୁଲ୍ ବୁଲି ଦେଖିବେ ।

ତେବେ ମିଲେନିଆଙ୍କ ଗସ୍ତ ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଓ ଉପମୁଖ୍ୟମନ୍ତ୍ରୀ ଓ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କାର୍ଯ୍ୟକ୍ରମରୁ ବାଦ୍ ଦିଆଯାଇଛି । ଯାହାକୁ ନେଇ ଆସନ୍ତୋଷ ପ୍ରକାଶ ପାଇଛି । ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଦେଶରେ ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। କଂଗ୍ରେସ ବେକାରୀ ପ୍ରସଙ୍ଗ ଉଠାଇ ବିଜେପି ଓ ସରକାରଙ୍କୁ ସମାଲୋଚନା କରିଛି। ୨ କୋଟି ଲୋକଙ୍କୁ ନିଯୁକ୍ତି ଦେବାଲାଗି ମୋଦୀ ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ୬୯ ଲକ୍ଷ ପଦବି ପୂରଣ ପାଇଁ ଘୋଷଣା କରାଯାଇଛି। ତୁରନ୍ତ ଏଥିପାଇଁ ଆବେଦନ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଟ୍ବିଟ୍ କରାଯାଇଛି। ଡୋନାଲ୍ ଡ ଟ୍ରମ୍ପ ନାଗରିକ ଅଭିନନ୍ଦନ ସମିତି ପକ୍ଷରୁ ଏବେ ନିଯୁକ୍ତି ଦିଆଯାଉଛି। ପଦବୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ ଡ ଟ୍ରମ୍ପଙ୍କୁ ସ୍ବାଗତ କରିବା ବୋଲି ଟ୍ବିଟ୍ କରାଯାଇଛି ।

ତେବେ କଂଗ୍ରେସର ଏହି ଟ୍ବିଟ୍ କୁ ବିଜେପି ସମାଲୋଚନା କରିଛି। ଦେଶର ମର୍ଯ୍ୟାଦା ଅନ୍ତର୍ଜାତୀୟ ସ୍ତରରେ ବୃଦ୍ଧି ପାଉଥିବାବେଳେ ବିରୋଧୀ ଏଥିରେ ଖୁସି ନାହାନ୍ତି ବୋଲି ବିଜେପି କହିଛି । ଟ୍ରମ୍ପ ଓ ମୋଦିଙ୍କ ଆଲୋଚନା ବେଳେ ସିଏଏ, ଏନ୍ ଆର୍ ସି ଏବଂ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଆଦି ପ୍ରସଙ୍ଗ ଟ୍ରମ୍ପ ଉଠାଇପାରନ୍ତି । ସେହିଭଳି ଗଣତନ୍ତ୍ର ଏବଂ ଧାର୍ମିକ ସ୍ବାଧୀନତା ପ୍ରସଙ୍ଗରେ ଆମେରିକାର ମତକୁ ଟ୍ରମ୍ପ ଉଭୟ ସର୍ବଧାରଣରେ ଏବଂ ମୋଦୀଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.