ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ଡୋନାଲ୍ଡ ଟ୍ରମ୍ପ ମନୋନୀତ, ୟୁଏଇ-ଇସ୍ରାଏଲ ମଧ୍ୟରେ କରାଇଥିଲେ ଐତିହାସିକ ଶାନ୍ତି ବୁଝାମଣା

Published By : Prameya-News7 Bureau | September 09, 2020 IST

ନୂଆଦିଲ୍ଲୀ ୦୯।୦୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୧ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଇସ୍ରାଏଲ ଓ ୟୁଏଇ ମଧ୍ୟରେ ଐତିହାସିକ ଶାନ୍ତି ବାର୍ତ୍ତା କରାଇଥିବା ଯୋଗୁଁ ଡୋନାଲ୍ଡ ଟ୍ରମ୍ପଙ୍କୁ ମନୋନୀତ କରାଯାଇଛି।

ଆମେରିକା ଗଣମାଧ୍ୟମ ଅନୁଯାୟୀ, ନରଓ୍ଵେ ସଂସଦର କ୍ରିଷ୍ଟିୟାନ ତାଇବ୍ରିଙ୍ଗଙ୍କ ପକ୍ଷରୁ ଟ୍ରମ୍ପଙ୍କୁ ଏହି ଆଓ୍ଵାର୍ଡ ପାଇଁ ମନୋନୀତ କରାଯାଇଛି। କୁହାଯାଇଛି ଯେ ଡୋନାଲ୍ଡ ଟ୍ରମ୍ପ ଦୁନିଆରେ ଶାନ୍ତି ସ୍ଥାପନା ପାଇଁ ଯଥା ସମ୍ଭବ ପ୍ରୟାସ କରିଛନ୍ତି।

ଫକ୍ସ ନ୍ୟୁଜ୍ ଅନୁଯାୟୀ, ଟାଇବ୍ରିଙ୍ଗ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ଜାରି ଦୀର୍ଘ ସମୟର ଶତ୍ରୁତା ସମାପ୍ତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଯାହା କୌଣସି ପ୍ରକାରର ଶାନ୍ତି ପୁରସ୍କାର ପାଇଁ ପର୍ଯ୍ୟାପ୍ତ।

କ୍ରିଷ୍ଟିୟାନ ତାଇବ୍ରିଙ୍ଗ ନରଓ୍ଵେ ସଂସଦରେ ଚାରି ଥର ସଦସ୍ୟ ରହିଛନ୍ତି ଏବଂ ସେ ନାଟୋ ସଂସଦୀୟ ଆସମ୍ବ୍ଲିର ମଧ୍ୟ ସଦସ୍ୟ। ତାଇବ୍ରିଙ୍ଗ ଏହା ମଧ୍ୟ କହିଛନ୍ତି ଟ୍ରମ୍ପ ଭାରତ ଓ ପାକିସ୍ତାନ ମଧ୍ୟରେ ଜାମ୍ମୁ-କାଶ୍ମୀରକୁ ନେଇ  ଜାରି ବିବାଦର ସମାଧାନ ପାଇଁ ଉଦ୍ୟମ କରିଛନ୍ତି। ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଶତ୍ରୁତା ସମାପ୍ତ କରିବା ଏବଂ ଉତ୍ତର କୋରିଆ ଦ୍ଵାରା ପରମାଣୁ ଯୁଦ୍ଧାସ୍ତ୍ର ପ୍ରସଙ୍ଗକୁ ସମାଧାନ କରିବା ଦିଗରେ ମଧ୍ୟ ଟ୍ରମ୍ପ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏମିତି ସମୟରେ ଟ୍ରମ୍ପ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହେବା ନିର୍ବାଚନରେ ତାଙ୍କୁ ଫାଇଦା ଦେଇପାରେ। ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ବରାକ ଓବାମାଙ୍କୁ ମଧ୍ୟ ନୋବେଲ୍ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ପ୍ରଥମ ଥର ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇ ନାହିଁ, ଏହା ପୂର୍ବରୁ ୨୦୧୮ରେ କିମ ଜୋଙ୍ଗ ଉନଙ୍କ ସହିତ ସମ୍ମିଳନୀ କରିଥିବାରୁ ତାଙ୍କୁ ମନୋନୀତ କରାଯାଇଥିଲା। ହେଲେ ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ସମ୍ମାନ ମିଳିନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.