‘ବିଜେପି ପାଇଁ ପ୍ରଚାର କରିବାକୁ ହାଇଦ୍ରାବାଦ ଆସିବେ ଟ୍ରମ୍ପ୍ ସାହେବ’, ଏମିତି କାହିଁକି କହିଲେ ଟିଆରଏସ ନେତା
26/11/2020 at 3:29 PM

ହାଇଦ୍ରାବାଦ,୨୬/୧୧: ବିଜେପିର ଫୋକସରେ ରହିଛି ହାଇଦ୍ରାବାଦ । କାରଣ ଆଉ କିଛି ଦିନ ପରେ ହାଇଦ୍ରାବାଦରେ ମହାନଗର ନିଗମ ନିର୍ବାଚନ ଅନୁଷ୍ଠିତ ହେବ । ଏହି ମହାନଗର ନିଗମ ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି । ଦଳ ପକ୍ଷରୁ ନିର୍ବାଚନୀ ବୈତରଣୀ ପାର୍ ହେବାକୁ କେନ୍ଦ୍ରୀୟ ନେତାଙ୍କୁ ବାରମ୍ବାର ଡକାଯାଉଛି । ଏହାସହ ପ୍ରଚାର ପାଇଁ ମଧ୍ୟ କେନ୍ଦ୍ର ନେତା ଆସୁଛନ୍ତି । ଏହାକୁ ସମାଲୋଚନା ଓ କଟାକ୍ଷ କରିଛନ୍ତି ଟିଆରଏସର କାର୍ଯ୍ୟକାରୀ ସଭାପତି କେଟି ରାମାରାଓ । ବିଜେପି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଚାର ପାଇଁ ଡାକୁ ବୋଲି ସେ କଟାକ୍ଷ କରିଛନ୍ତି ।
ରାମା ରାଓ କହିଛନ୍ତି ଯେ, ଏହା ଏକ ସାମାନ୍ୟ ନିର୍ବାଚନ । ଗଳି ନିର୍ବାଚନ ଭଳି । କିନ୍ତୁ ଲଗାତର ଭାବେ କେନ୍ଦ୍ରୀୟ ନେତା ହାଇଦ୍ରାବାଦ ଆସୁଛନ୍ତି । ଟ୍ରମ୍ପ୍ ସାହେବ ମଧ୍ୟ ଆସିପାରନ୍ତି । ସେ ପ୍ରଧାନମନ୍ତ୍ରୀଙ୍କର ମିତ୍ର ଅଟନ୍ତି ।
ସେ ଆହୁରି କହିଛନ୍ତି ଯେ, ବିଜେପି ସ୍ଥାନୀୟ ପ୍ରସଙ୍ଗକୁ ଗୁରୁତ୍ୱ ଦେଉନାହିଁ । କେବଳ ସାମ୍ପ୍ରଦାୟିକ ରାଜନୀତି ସହ ଘୃଣା ସୃଷ୍ଟି କରୁଛି ଦଳ ।ସେମାନେ ବାବର, ଆକବର, ଲାଦେନର କଥା କହୁଛନ୍ତି । ଏହାକୁ ସେମାନେ ହାଇଦ୍ରାବାଦ ଭୋଟରଙ୍କୁ କାହିଁକି କହୁଛନ୍ତି ତାହା ବୁଝି ହେଉନାହିଁ । ଏହାସହ ବିଜେପି ଗତ ବର୍ଷରେ କେତେ ଚଙ୍କା ତେଲେଙ୍ଗାନାକୁ ଦେଇଛି ତାହା ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ମଙ୍ଗଳବାର କେଟି ରାମାରାଓ ବିଜେପି ଉପରେ ବର୍ଷିଥିଲେ । ତେଲେଙ୍ଗାନାକୁ ହେୟଜ୍ଞାନ କରିବା ସହ ଆର୍ଥିକ ଦୂରାବସ୍ଥାକୁ ନେଇ ସେ ବିଜେପିକୁ ଘେରିଥିଲେ । ଏହାପୂର୍ବରୁ ବିଜେପି ନେତା ପ୍ରକାଶ ଜାବଦେକର ରାଜ୍ୟରେ କ୍ଷମତାରେ ଥିବା ଟିଆରଏସକୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଥିଲେ ।
ଆସନ୍ତା ୧ ତାରିଖରେ ହାଇଦ୍ରାବାଦ ମହାନଗର ନିଗମ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ୭୪ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ୨୦୧୬ରେ ହୋଇଥିବା ନିର୍ବାଚନରେ ବିଜେପି ମାତ୍ର ୪ଟି ଆସନରେ ଜିତିଥିଲା । ଟିଆରଏସ ୯୯ଟି ଆସନରେ ବିଜୟଲାଭ କରିଥିବା ବେଳେ ଏଆଇଏମଆଇଏମ ୪୪ଟି ଓ୍ୱାର୍ଡକୁ ଦଖଲ କରିଥିଲା ।