କରୋନା ଟୀକା ତିଆରି କରିଥିବା ଦାବି କଲା ଆମେରିକା, ଟ୍ରମ୍ପ୍ କହିଲେ ଆମ ପାଖରେ ଏବେ ୨୦ ଲକ୍ଷ ଡୋଜ୍

Published By : Prameya-News7 Bureau | June 06, 2020 IST

ଓ୍ବାଶିଂଟନ୍ ୬।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ତାଙ୍କ ଦେଶରେ କରୋନା ମହାମାରୀ ଟୀକା ଆବିଷ୍କୃତ ହୋଇସାରିଛି । ଆମେରିକା ୨୦ ଲକ୍ଷ ଡୋଜ୍ ପ୍ରସ୍ତୁତ କରିଛି ଏବଂ ଏହାର ନିରାପତ୍ତା ସ୍ପଷ୍ଟ ହେବା ମାତ୍ରେ ଏହାର ବ୍ୟବହାର ଆରମ୍ଭ କରିଦିଆଯିବ । ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି ଯେ, ଗୁରୁବାର ଦିନ କରୋନା ଟୀକା ବିଷୟରେ ଆମେ ଏକ ବୈଠକ କରିଥିଲୁ । ବୈଠକରେ ଏହା ଜଣାପଡିଥିଲା ​​ଯେ, ଆମେ ଏହା ଉପରେ ବହୁତ ଭଲ କାମ କରିଛୁ । ଆମେ ୨୦ ଲକ୍ଷ ଟୀକା ପ୍ରସ୍ତୁତ କରି ରଖିଛୁ । ବର୍ତ୍ତମାନ ଏହାକୁ ଲୋକଙ୍କ ନିକଟର ପଠାଇବା କାମ ବାକି ରହିଛି ।

ଏହା ବ୍ୟତୀତ ସେ କରୋନାକୁ ନେଇ ଚୀନ୍ କୁ ପୁଣି ଥରେ ଟାର୍ଗେଟ୍ କରିଛନ୍ତି । ଟ୍ରମ୍ପ୍ କହିଛନ୍ତି ଯେ, ଆମେ ବିଶ୍ବର ସବୁଠୁ ବଡ ଅର୍ଥନୀତି, ତେଣୁ କରୋନା ଯୁଦ୍ଧରେ ସଫଳ ହୋଇଛୁ । ଅନ୍ୟପକ୍ଷରେ ଚୀନ୍ ସରକାର କହିଛନ୍ତି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ଟୀକା ବଜାରରେ ଉପଲବ୍ଧ ହେବ ବୋଲି ଆଶାବାଦୀ । ସାରା ବିଶ୍ବରେ କରୋନା ଭାଇରସରୁ ମୁକ୍ତି ପାଇବା ପାଇଁ ୧୦୦ରୁ ଅଧିକ ଟୀକା ଉପରେ ଗବେଷଣା ଏବଂ ପରୀକ୍ଷା ଚାଲିଛି । ଅକ୍ସଫୋର୍ଡ ୟୁନିଭରସିଟି ଦ୍ବାରା ପ୍ରସ୍ତୁତ ଭ୍ୟାକ୍ସିନର କ୍ଲିନିକାଲ୍ ପରୀକ୍ଷା ବହୁତ ଭଲ ଫଳାଫଳ ଦେଇଛି । କମ୍ପାନୀ Moderna Inc କହିଛି ଯେ, ଟୀକାର କ୍ଲିନିକାଲ ଟ୍ରାଏଲ ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଯାଇଛି ।

ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣରେ ଅଧିକ ପ୍ରଭାବିତ ଦେଶ ତାଲିକାରେ ଭାରତ ବର୍ତ୍ତମାନ ଇଟାଲୀକୁ ପଛରେ ପକାଇ ଷଷ୍ଠ ସ୍ଥାନରେ ରହିଛି । ଏଠାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୦ ହଜାରରୁ ଅଧିକ । ଆମେରିକାର ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟର ସେଣ୍ଟର ଫର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (CSSE) ତଥ୍ୟ ଅନୁଯାୟୀ ଶୁକ୍ରବାର ଦିନ ପ୍ରାୟ ୧୦ଟା ୩ ମିନିଟ୍ (ଭାରତୀୟ ସମୟ ଅନୁଯାୟୀ) ପର୍ଯ୍ୟନ୍ତ ଭାରତରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୩୫,୫୪୦ରେ ପହଞ୍ଚିଛି । ଏହି ଭାଇରସ୍ ଯୋଗୁଁ ଏପର୍ଯ୍ୟନ୍ତ ମୋଟ୍ ୬୬୩୭ଲୋକ ପ୍ରାଣ ହରାଇଛନ୍ତି । ଏଥି ସହିତ ୧,୧୨,୭୫୭ ଲୋକ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.