ଆମେରିକାରେ ରାଜନୈତିକ ସଙ୍କଟ: ଦୁଇ ଥର ମହାଭିଯୋଗ ସାମ୍ନା କରିବାରେ ଟ୍ରମ୍ପ ହେଲେ ଆମେରିକାର ପ୍ରଥମ ରାଷ୍ଟ୍ରପତି, ଏବେ ସିନେଟ୍ ଉପରେ ସଭିଙ୍କ ନଜର

Published By : Prameya-News7 Bureau | January 14, 2021 IST

ଓ୍ଵାଶିଂଟନ ୧୪।୦୧ :  ଡୋନାଲ୍ଡ ଟ୍ରମ୍ପ ଦୁଇ ଥର ମହାଭିଯୋଗ ସାମ୍ନା କରିବାରେ ଆମେରିକାର ପ୍ରଥମ ରାଷ୍ଟ୍ରପତି ହେବାର ଅପଖ୍ୟାତି ଅର୍ଜନ କରିଛନ୍ତି। ଡେମୋକ୍ରାଟିକ ପାର୍ଟିର ଦବଦବା ରହିଥିବା ପ୍ରତିନିଧି ସଭା ବୁଧବାର ବିଳମ୍ବିତ ରାତ୍ରିରେ କ୍ୟାପିଟାଲ ବିଲ୍ଡିଂରେ  ହିଂସାକାଣ୍ଡ ମାମଲାରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଉପରେ ମୋହର ମାରିଛି। ହାଉସ୍ ଅଫ୍ ରିପ୍ରେଞ୍ଜେଟେଟିଭ୍‌ରେ ଭୋଟିଂ ସମୟରେ ଟ୍ରମ୍ପଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ୨୩୨ ଏବଂ ବିପକ୍ଷରେ ୧୯୭ ଭୋଟ୍ ପଡିଛି। ପ୍ରସ୍ତାବ ସପକ୍ଷରେ ଭୋଟ୍ କରିଥିବା ପ୍ରତିନିଧିଙ୍କ ମଧ୍ୟରେ ୨୨୨ ଡେମୋକ୍ରେଟ୍ସର ସାଂସଦ ରହିଥିବା ବେଳେ ୧୦ ଜଣ ରିପବ୍ଲିକନ। ମହାଭିଯୋଗ ପାଇଁ ୨୧୮ ସଦସ୍ୟଙ୍କ ସମର୍ଥନ ଜରୁରୀ।

ଏଥିସହ ଆମେରିକାରେ ରାଜନୈତିକ ସଙ୍କଟ ଅଧିକ ଘନିଭୂତ ହୋଇଛି। ଏବେ ସମସ୍ତ ନଜର ସିନେଟ୍ ଉପରେ ରହିଛି। ଯଦି ମହାଭିଯୋଗର ପ୍ରସ୍ତାବ ସିନେଟ୍‌ରେ ପାରିତ ହୁଏ ତେବେ ଟ୍ରମ୍ପଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ରାଷ୍ଟ୍ରପତି ପଦ ଛାଡିବାକୁ ପଡିବ। ସିନେଟ୍‌ରେ ମହାଭିଯୋଗ ପ୍ରସ୍ତାବ ଗୃହୀତ କରାଇବା ପାଇଁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ହୋଇଥାଏ। ସିନେଟ୍‌ରେ ରିପବ୍ଲିକନ ନେତାଙ୍କ ପାଖରେ ୫୦ ପ୍ରତିଶତ ତୂଳନାରେ ଗୋଟିଏ ପ୍ରତିଶତ ଅଧିକ ବହୁମତ ରହିଛି। ତେଣୁ ସିନେଟ୍‌ରେ ପ୍ରସ୍ତାବ ପାରିତ କରିବା ମୁସ୍କିଲ ଲାଗୁଛି। ମାତ୍ର ଏହା ଭୁଲିବା ଉଚିତ୍ ନୁହେଁ ଯେ ଅନେକ ରିପବ୍ଲିକନ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ଅଛନ୍ତି। ତେଣୁ ଟ୍ରମ୍ପଙ୍କ ବିରୋଧରେ ଚାଲିଥିବା ମହାଭିଯୋଗ ପ୍ରସ୍ତାବ ସିନେଟ୍‌ରେ ଗୃହୀତ ହେବାର ସମ୍ଭାବନା ରହିଛି।

୨୦୧୯ରେ ଆସିଥିଲା ମହାଭିଯୋଗ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏହା ପୂର୍ବରୁ ୨୦୧୯ରେ ମଧ୍ୟ ମହାଭିଯୋଗ ଚଲାଯାଇଥିଲା। ହେଲେ ୨୦୨୦ ଫେବୃଆରୀରେ ଡୋନାଲ୍ଡ ଟ୍ରମ୍ପଙ୍କ ସହଯୋଗୀ ସଂଖ୍ୟା ଗରିଷ୍ଠତା ବିଶିଷ୍ଟ ସିନେଟ୍‌ରେ ଶକ୍ତିର ଦୁରୁପଯୋଗ କରି ୫୨-୪୮ ମତ ବ୍ୟବଧାନରେ ପ୍ରସ୍ତାବକୁ ଖାରଜ କରିଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ମହାଭିଯୋଗର ଅଭିଯୋଗ ଲାଗିବା ପରେ ଦବି ପୁନର୍ବାର ରାଷ୍ଟ୍ରପତି ନିର୍ବାଚନ ଲଢିବାରେ ପ୍ରଥମ ବ୍ୟକ୍ତି ଅଟନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.