ଆମେରିକାରେ ବ୍ୟାନ୍ ହେଲା ୨୦୦ରୁ ଅଧିକ ଚୀନ ଆପ୍ , ଟ୍ରମ୍ପ କହିଲେ- ନିଷ୍ପତ୍ତି ପଛର କାରଣ ଭାରତର କାର୍ଯ୍ୟାନୁଷ୍ଠାନ
6/01/2021 at 10:53 PM

ଓ୍ବାସିଂଟନ ୦୬/୦୧: ଭାରତକୁ ଅନୁସରଣ କରୁଛି ବିଶ୍ବ। ଭାରତ ପରେ ପରେ ଚୀନ ଉପରେ ଡିଜିଟାଲ ଷ୍ଟ୍ରାଇକ୍ ଆରମ୍ଭ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୦ରୁ ଅଧିକ ଚୀନ ଆପ୍ ଉପରେ ପ୍ରତିବନ୍ଧ ଲଗାଇଛନ୍ତି। ତେବେ ଏହି କାର୍ଯ୍ୟନୁଷ୍ଠାନ ପାଇଁ ଭାରତର ଉଦାହରଣ ଦେଇଛନ୍ତି ଟ୍ରମ୍ପ।
ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ଏଭଳି କାର୍ଯ୍ୟାନୁଷ୍ଠାନ ଟ୍ରମ୍ପ ଗ୍ରହଣ କରିଥିବା ଜଣାପଡ଼ିଛି। ଚୀନରେ ତିଆରି ହେବା ସହ ନିୟନ୍ତ୍ରିତ ହେଉଥିବା ଆପ୍ ଯୋଗୁ ଦେଶର ସୁରକ୍ଷା କ୍ଷେତ୍ରରେ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଜରୁରିକାଳୀନ ସ୍ଥିତିରୁ ମୁକୁଳିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ବିଜ୍ଞପ୍ତିରେ ଦର୍ଶାଇଛନ୍ତି ଟ୍ରମ୍ପ। ଆମେରିକାରେ ବ୍ୟାନ୍ ହୋଇଥିବା ଆପ୍ ମଧ୍ୟରେ ରହିଛି ଅଲୀପେ, କ୍ୟାମ୍ ସ୍କାନର, କ୍ୟୁକ୍ୟୁ। ତେବେ ଏହି ପ୍ରତିବନ୍ଧ ମଙ୍ଗଳବାରରୁ ୪୫ ଦିନ ଭିତରେ ଲାଗୁ ହୋଇଯିବ।
ଚୀନ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ସହ ଟ୍ରମ୍ପ କହିଛନ୍ତି, ଚୀନରେ ପ୍ରସ୍ତୁତ ହେଉଥିବା ଏବଂ ନିୟନ୍ତ୍ରିତ ହେଉଥିବା ଆପ୍ ଦ୍ବାରା ଆମେରିକାର ସୁରକ୍ଷା, ବିଦେଶ ନୀତି ଓ ଆମେରିକାର ଅର୍ଥବ୍ୟବସ୍ଥା ପ୍ରତି ବିପଦ ରହିଛି। ତେଣୁ ଚୀନ ଆପ୍ ଦ୍ବାରା ହେବାକୁ ଥିବା ବିପଦକୁ ଏଡାଇବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଥିଲା ବୋଲି ମଧ୍ୟ ଟ୍ରମ୍ପ କହିଛନ୍ତି। ଏହା ପୂର୍ବରୁ ଟ୍ରମ୍ପ ଦୁଇଟି ଚୀନ ଆପ୍ ଟିକ୍ଟକ୍ ଓ ଓ୍ବିଚାଟ୍ ଉପରେ ପ୍ରତିବନ୍ଧ ଲଗାଇଥିଲେ।