ଶେଷରେ ହାର୍ ମାନିଲେ ଡୋନାଲ୍ଡ ଟ୍ରମ୍ପ୍, ବିଜୟୀ ବିଡେନ୍ଙ୍କୁ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ପାଇଁ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ
24/11/2020 at 4:02 PM

ଓ୍ବାଶିଂଟନ୍ ୨୪।୧୧: ଆମେରିକାରେ ରାଜନୈତିକ ସଙ୍କଟ ସମାପ୍ତ ହେବାକୁ ଯାଉଛି । ନିର୍ବାଚନ ଫଳାଫଳ ଆସିବାର ୧୬ ଦିନ ପରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପଦ ଛାଡିବା ନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ତାଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କ୍ଷମତା ହସ୍ତାନ୍ତର ପାଇଁ ଦାୟିତ୍ବ ନେଇଥିବା ଏଜେନ୍ସୀ ଜିଏସଏ ମୁଖ୍ୟ କହିଛନ୍ତି ଯେ, ସେ ବିଡେନ୍ ଙ୍କୁ ହ୍ବାଇଟ୍ ହାଉସ୍ କୁ ଆସିବା ପାଇଁ ଜରୁରୀ ସାମଗ୍ରୀ ଯୋଗାଇଦେବେ । ଏହାପରେ ଟ୍ରମ୍ପଙ୍କର ଏଭଳି ବୟାନ ଆସିଛି । ଲଢେଇ ଜାରି ରହିବ ଏବଂ ବିଜୟୀ ହେବେ ବୋଲି ମଧ୍ୟ ଟ୍ରମ୍ପ୍ କହିଛନ୍ତି । ଆମେରିକାରେ ନଭେମ୍ବର ୩ ତାରିଖରେ ହୋଇଥିବା ନିର୍ବାଚନରେ ରାଷ୍ଟ୍ରପତି ପଦ ପାଇଁ ବିଡେନ୍ ଏବଂ ଉପ ରାଷ୍ଟ୍ରପତି ପଦ ପାଇଁ କମଲା ହାରିସଙ୍କୁ ବିଜୟୀ ଘୋଷଣା କରାଯାଇଥିଲା ।
ନିର୍ବାଚନ ଭୋଟ୍ ଗଣତିରେ ଅନିୟମିତତା ହୋଇଥିବା ନେଇ ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ କେତେକ ମାମଲା ଖାରଜ ମଧ୍ୟ ହୋଇସାରିଛି । ଜେନେରାଲ ସର୍ଭିସ ଆଡମିନିଷ୍ଟ୍ରେଟର (ଜିଏସଏ) ଏମିଲି ମର୍ଫି ଦ୍ବାରା ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କୁ ଚିଠି ଲେଖି ଟ୍ରମ୍ପ ପ୍ରଶାସନ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତ ବୋଲି ସୂଚନା ଦେବାର କିଛି ଘଣ୍ଟା ପରେ ଟ୍ରମ୍ପ ଏନେଇ ଟ୍ବିଟ୍ କରିଥିଲେ ।
ଟ୍ରମ୍ପ୍ ଟ୍ବିଟ୍ କରି କହିଛନ୍ତି ଯେ, ମୁଁ ଜିଏସଏର ଏମିଲି ମର୍ଫିଙ୍କର ଦେଶପ୍ରତି ତାଙ୍କ ସମର୍ପଣ ଏବଂ ନିଷ୍ଠା ପାଇଁ ଧନ୍ୟବାଦ ଦେବାକୁ ଚାହୁଁଛି । ତାଙ୍କୁ ହଇରାଣ କରାଗଲା, ଧମକ ଦିଆଗଲା ଏବଂ ଗାଳି ମଧ୍ୟ ଦିଆଗଲା । ମୁଁ ଚାହୁଁନାହିଁ ଯେ, ଏହା ତାଙ୍କ ସହ, ତାଙ୍କ ପରିବାର ଅଥବା ଜିଏସଏର କୌଣସି କର୍ମଚାରୀଙ୍କ ସହ ହେଉ । ଆମ ଲଢେଇ ଜାରି ରହିବ ଏବଂ ମୋତ୍ ବିଶ୍ବାସ ଯେ, ଆମେ ଜିତିବୁ ।
ବିଡେନ୍-ହାରିସଙ୍କୁ ପଦ ହସ୍ତାନ୍ତର ଟିମ୍ ର କାର୍ଯ୍ୟକାରୀ ନିର୍ଦ୍ଦେଶକ ୟୋହାନେଶ ଅବ୍ରାହମ ଏକ ବୟାନରେ କହିଛନ୍ତି ଯେ, ଜିଏସଏ ପ୍ରଶାସକ ରାଷ୍ଟ୍ରପତି ନିର୍ବାଚନରେ ବିଡେନ ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ହାରିସଙ୍କୁ ନିର୍ବାଚନ ସ୍ପଷ୍ଟ ବିଜେତା ଭାବେ ମାନ୍ୟତା ଦେଇଛି । ନବନିର୍ବାଚିତ ପ୍ରଶାସନ ସରକାରଙ୍କ ସୁଗମ ଏବଂ ଶାନ୍ତିପୂର୍ଣ୍ଣ ହସ୍ତାନ୍ତରଣ ପାଇଁ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯାଉଛି ।