ଅଢେଇ କୋଟି ଟଙ୍କାରେ ବିକ୍ରି ହେଲା ମହାନ ବ୍ୟାଟସମ୍ୟାନ ବ୍ରାଡମ୍ୟାନଙ୍କ ଟୋପି, କିଣିଲେ ଏହି ଦେଶର ବ୍ୟକ୍ତି
22/12/2020 at 10:00 PM

ସିଡନୀ ୨୨।୧୨: ଅଷ୍ଟ୍ରେଲିଆର ମହାନ ବ୍ୟାଟସମ୍ୟାନ ସାର ଡୋନାଲ୍ଡ ବ୍ରାଡମ୍ୟାନଙ୍କ ପ୍ରଥମ ବ୍ୟାଗି ଗ୍ରୀନ ଟେଷ୍ଟ ଟୋପିର ନିଲାମ ହୋଇଛି। ଟୋପିଟି ଚାରି ଲକ୍ଷ ୫୦ ହଜାର ଡଲାର(୩ ଲକ୍ଷ ୪୦ ହଜାର ଆମେରିକୀ ଡଲାର)ରେ ନିଲାମ ହୋଇଛି ଏବଂ ଟୋପିକୁ ଅଷ୍ଟ୍ରେଲିଆର ଜଣେ ବ୍ୟବସାୟୀ କିଣିଛନ୍ତି। ଏହି ଟୋପିର ମୂଲ୍ୟ ଭାରତୀୟ ମୁଦ୍ରାରେ ଅଢେଇ କୋଟି ଟଙ୍କା ହେବ। ରୋଡ୍ ମାଇକ୍ରୋଫୋନ୍ସର ପ୍ରତିଷ୍ଠାତା ପିଟର ଫ୍ରିଡମ୍ୟାନ ବ୍ରାଡମ୍ୟାନଙ୍କ ଦ୍ଵାରା ୧୯୨୮ରେ ଟେଷ୍ଟ ପଦାର୍ପଣ ସମୟରେ ପିନ୍ଧିଥିବା ଟୋପିକୁ କିଣିଛନ୍ତି। ସେ ଏହି ଟୋପିକୁ ପୂରା ଅଷ୍ଟ୍ରେଲିଆରେ ବୁଲାଇବାକୁ ଯୋଜନା କରିଛନ୍ତି।
ନିଲାମ ସହ ସଂପର୍କିତ ଅଧିକାରୀଙ୍କ ଅନୁଯାୟୀ ଅଷ୍ଟ୍ରେଲିଆର ଲେଗ୍ ସ୍ପିନର ସେନ ଓ୍ଵାର୍ଣ୍ଣଙ୍କ ଟେଷ୍ଟ କ୍ୟାପ୍ ସର୍ବାଧିକ ମୂଲ୍ୟରେ ବିକ୍ରି ହୋଇଛି। ଟୋପି ୧୦ ଲକ୍ଷ ସାତ ହଜାର ୫୦୦ ଅଷ୍ଟ୍ରେଲିଆ ଡଲାରରେ ନିଲାମ ହୋଇଥିଲା।
The sports museum at the MCG and the Bradman museum have quite the collection of iconic caps 🧢 pic.twitter.com/lZgrIjnaUW
— ICC (@ICC) May 18, 2020
ବ୍ରାଡମ୍ୟାନ ୨୦ ବର୍ଷ ଅଷ୍ଟ୍ରେଲିଆର ପ୍ରତିନିଧିତ୍ଵ କରିଥିଲେ। ୧୯୨୮ ରୁ ୧୯୪୮ ମଧ୍ୟରେ ସେ ୫୨ଟି ଟେଷ୍ଟ ଖେଳି ୯୯.୯୪ ହାରରେ ରନ କରିଥିଲେ। ତାଙ୍କୁ ଦୁନିଆର ସର୍ବକାଳୀନ ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ କୁହାଯାଏ। ତାଙ୍କୁ ୧୯୪୯ରେ ନାଇଟ୍ହୁଡ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଫ୍ରିଡମ୍ୟାନ୍ ମଙ୍ଗଳବାର କହିଛନ୍ତି, ସାର ଡନ ବ୍ରାଡମ୍ୟାନ ଅଷ୍ଟ୍ରେଲିଆର ମହାନ ଖେଳାଳି। ସେ କ୍ରିକେଟ୍ ମଇଦାନରେ ସବୁଠୁ ପ୍ରତିଭାବାନ ଖେଳାଳିଙ୍କ ମଧ୍ୟରୁ ଜଣେ ଥିଲେ ଏବଂ ସର୍ବକାଳୀନ ମହାନ ଖେଳାଳିରେ ସାମିଲ ଥିଲେ।